ଲାହୋର: ପୁଣିଥିରେ ଭାରତ ଓ ଚିର ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ମଧ୍ୟରେ କ୍ରିକେଟ ସିରିଜ ହେବାନେଇ ଚର୍ଚ୍ଚା ଜୋର ଧରିଛି । ଭାରତ ଓ ପାକିସ୍ତାନ ବୋର୍ଡ କର୍ତ୍ତୃପକ୍ଷ ନିକଟ ଭବିଷ୍ୟତରେ ଦ୍ବିପାକ୍ଷିକ ସିରିଜ ନେଇ ସଂପର୍କରେ ଥିବା ଏକ ପାକିସ୍ତାନୀ ଗଣମାଧ୍ୟମ ସଂସ୍ଥାରେ ରିପୋର୍ଟ ପ୍ରକାଶ ପାଇବା ପରେ ଚର୍ଚ୍ଚା ବଢିବାରେ ଲାଗିଛି । ଚଳିତ ବର୍ଷ ଶେଷ ଭାଗରେ ଟି20 ବିଶ୍ବକପ ଖେଳାଯିବାକୁ ଥିବାବେଳେ, ଉଭୟ ଦେଶ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳାଯିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି । ଏହି କ୍ରମରେ ଉଭୟ ଦେଶ ମଧ୍ୟରେ କ୍ରିକେଟ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ କ୍ୟାପଟେନ ସାହିଦ ଆଫ୍ରିଦୀ ।
"ରାଜନୀତି ଠାରୁ ଖେଳକୁ ପୃଥକ ରଖିବା ଜରୁରୀ । କ୍ରିକେଟ ପାଇଁ ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ହୋଇପାରେ । ଭାରତୀୟ କ୍ରିକେଟର ପାକିସ୍ତାନ ଆସିବାକୁ ପସନ୍ଦ କରନ୍ତି । ଖେଳ ମାଧ୍ୟମରେ ସଂପର୍କ ମଜଭୁତ ହୋଇପାରିବ ମାତ୍ର ଯଦି ସୁଧାରିବାକୁ ଚାହାନ୍ତି ନାହିଁ ତେବେ ଯେପରି ରହିଛି ସେପରି ରହିବ" କହିଛନ୍ତି ଆଫ୍ରିଦୀ ।
ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଜଣେ ଅଧିକାରୀ ପ୍ରଥମେ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ମାତ୍ର ପରେ ସିରିଜ ପ୍ରସ୍ତୁତ କରିବାକୁ କୁହାଯାଇଥିବା କହିଛନ୍ତି । ଦୁଇ ଟିମ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳାଯାଇପାରେ ଓ ସେଥିପାଇଁ 6 ଦିନର ସୂଚୀ ୱିଣ୍ଡୋ ତଲାସ କରାଯାଉଥିବା ଚର୍ଚ୍ଚା ହେଉଛି ।