ହାଇଦ୍ରାବାଦ: ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା 2ୟ ଓ 3ୟ ଦିନିକିଆ ମ୍ୟାଚ । କୋରୋନା ଭାଇରସ ପାଇଁ ଏଭଳି ନିଷ୍ପତି ନିଆଯାଇଛି । ପ୍ରଥମ ମ୍ୟାଚ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ(HPCA), ଧର୍ମଶାଳାରେ ଖେଳାଯିବାର ଥିଲା । ତେବେ ଷ୍ଟାଡିୟମରେ ବହୁ ଦର୍ଶକ ମ୍ୟାଚ ଦେଖିବାକୁ ଅପେକ୍ଷା କରିଥିଲେ ମଧ୍ୟ, ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିଲା ।
ତେବେ କୋରୋନା ଭାଇରସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ବମହାମାରୀ ଘୋଷଣା କରାଯାଇଛି । ଭାରତ ସରକାର ମଧ୍ୟ ଏନେଇ ଆଡଭାଇଜରୀ ଜାରି କରିଛନ୍ତି । ଭାରତରେ ଏଯାବତ 75ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । କର୍ଣ୍ଣାଟକରେ ଜଣେ 76 ବର୍ଷିୟ ବୃଦ୍ଧଙ୍କର ଜୀବନ ମଧ୍ୟ ଯାଇସାରିଲାଣି । ଏପରି ସ୍ଥିତିରେ ଗୋଟିଏ ସ୍ଥାନରେ ବହୁସଂଖ୍ୟାରେ ଜନହଗଳିକୁ ବିସିସିଆଇ ସହଜରେ ଗ୍ରହଣ କରିପାରିନାହିଁ । କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ 3ୟ ଦିନିକିଆ ମ୍ୟାଚ ପାଇଁ ଟିକେଟ ବିକ୍ରି ବନ୍ଦ କରିଛି । ଫଳରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ବୋଲି ଜଣାପଡିଛି । ତେବେ କ୍ରିକେଟ ଇତିହାସରେ ବିନା ଦର୍ଶକରେ ଅନ୍ତର୍ଜାତୀୟ ମ୍ୟାଚ ଖେଳ ଏକ ବିରଳ ଘଟଣା ହୋଇପାରେ ।