ନୂଆଦିଲ୍ଲୀ: ଗତ ଶନିବାର ଆନ୍ତର୍ଜିତିକ କ୍ରିକେଟରୁ ଅବସର ନେଇଛନ୍ତି ଏମଏସ ଧୋନି । ମାହିଙ୍କ ସନ୍ନ୍ୟାସ ଘୋଷଣା ପରେ ତାଙ୍କର ସବୁଠାରୁ ବଡ ପ୍ରଶଂସକ ଚାଚା ଶିକାଗୋ(ମହମ୍ମଦ ବସିର୍ ବୋଜାଇ) ବେଶ୍ ମର୍ମାହତ ହୋଇ ପଡିଛନ୍ତି । ସେ ଆଉ କ୍ରିକେଟ ଦେଖିବାକୁ ଯିବେ ନାହିଁ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ, ଧୋନି ସନ୍ୟାସ ନେଲେ ଓ ମୁଁ ବି । ସେ ଆଉ ଖେଳିବେନି । ଏଥିଲାଗି ମୁଁ ଆଉ କ୍ରିକେଟ ଦେଖିବାକୁ ଯାତ୍ରା କରିବି ନାହିଁ । ମୁଁ ତାଙ୍କୁ ଭଲ ପାଏ । ସେ ବି ମତେ ଭଲ ପାଇବା ଦେଇଛନ୍ତି । ସମସ୍ତ ମହାନ ଖେଳାଳି ଦିନେ ସନ୍ୟାସ ନେଇଥାନ୍ତି । କିନ୍ତୁ ତାଙ୍କ ସନ୍ୟାସ ଖବର ମତେ ଦୁଃଖିତ କରି ଦେଇଛି । ସେ ସାନଦାର ବିଦାୟର ଯୋଗ୍ୟ ଥିଲେ ।
ଚାଚା ଶିକାଗୋ ଓ ଧୋନିଙ୍କ ସମ୍ପର୍କ 2011 ବିଶ୍ବକପ ସେମିଫାଇନାଲ ପର ଠାରୁ ମଜବୁତ ହୋଇ ଉଠିଥିଲା । ସେହି ସେମିଫାଇନାଲ ମ୍ୟାଚ ମୋହଲିରେ ହେଉଥିଲା ଓ ସେହି ମ୍ୟାଚର ଟିକେଟ ତାଙ୍କ ପାଖରେ ନଥିଲା । ଆମେରିକାରୁ ମ୍ୟାଚ ଦେଖିବାକୁ ଆସି ଟିକେଟ ନପାଇ ଫେରି ଯାଉଥିବା ଖବର ଜାଣି ଧୋନି ତାଙ୍କୁ ସେହି ମ୍ୟାଚର ଟିକେଟ ଦେଇଥିଲେ । ପରେ ଫାଇନାଲ ମ୍ୟାଚର ବି ଟେକେଟ ପାଇଥିଲେ । ସେହିଦିନ ଠୁ ଚାଚା ଓ ଧୋନିଙ୍କ ସମ୍ପର୍କ ନିବଡ ହୋଇଯାଇଛି । ବିଶ୍ବର କୌଣସି ସ୍ଥାନରେ ଭାରତୀୟ ଦଳରେ ଧୋନି ଖେଳୁଥିଲେ ସେ ପହଞ୍ଚି ଯାଆନ୍ତି ଖେଳ ଦେଖିବାକୁ ।
ଏବେ ଚାଚା ରାଞ୍ଚି ଯିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ଧୋନିଙ୍କ ଘର ରାଞ୍ଚିକୁ ଯିବି । ତାଙ୍କୁ ଭବିଷ୍ୟତର ଶୁଭକାମନା ଦେବା ପାଇଁ ଏତିକି ତ କରି ପାରିବି ।