ନୂଆଦିଲ୍ଲୀ:2017 ପରେ କ୍ୟାରିଅରର ସର୍ବଶ୍ରେଷ୍ଠ ଦିନିକିଆ ବୋଲିଂ ରାଙ୍କିଂକୁ ଉନ୍ନୀତ ହୋଇଛନ୍ତି ଅଭିଜ୍ଞ ଭାରତୀୟ ବୋଲର ଭୁବନେଶ୍ବର କୁମାର। ଆଇସିସି ପକ୍ଷରୁ ଜାରି ହୋଇଥିବା ସଦ୍ୟ ଦିନିକିଆ ବୋଲର ରାଙ୍କିଂର ଏକାଦଶ ସ୍ଥାନରେ ପହଞ୍ଚିଛନ୍ତି ଭୁବନେଶ୍ବର କୁମାର। ଏହାପୂର୍ବରୁ ସେ 20ତମ ସ୍ଥାନରେ ରହିଥିଲେ।
2017 ମସିହାରେ ଦିନିକିଆ ରାଙ୍କିଂରେ ଦଶମ ସ୍ଥାନରେ ଥିଲେ ଭୁବନେଶ୍ବର କୁମାର। ତେବେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରିବା ପରେ ସେ 9ଟି ସ୍ଥାନ ଉପରକୁ ଉନ୍ନୀତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଭୁବନେଶ୍ବର କୁମାରଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ମ୍ୟାଚରେ ଭୁବନେଶ୍ବର 10 ଓଭର ବୋଲିଂ କରି 42 ରନ ଦେଇଥିବା ବେଲେ ଗୁରୁତ୍ବପୂର୍ଣ୍ଣ 3ଟି ୱିକେଟ ନେଇଥିଲେ।
ସେହିଭଳି ଦିନିକିଆ ବ୍ୟାଟିଂ ରାଙ୍କିଂରେ କେଏଲ ରାହୁଲ 31ତମ ସ୍ଥାନରୁ 27ତମ ସ୍ଥାନରେ ପହଞ୍ଚିଛନ୍ତି। ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା କ୍ୟାରିଅରର ସର୍ବଶ୍ରେଷ୍ଠ ରାଙ୍କିଂ 42ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିଭଳି ଋଷଭ ପନ୍ତ 100ତମ ସ୍ଥାନରେ ପହଞ୍ଚିଛନ୍ତି।