ନୂଆଦିଲ୍ଲୀ: କୋରୋନା ଭାଇରସ ପାଇଁ ସାରା ବିଶ୍ବରେ ଏବେ ହଇଚଇ ସୃଷ୍ଟି ହୋଇଛି । ସେହିପରି ଭାରତରେ ମଧ୍ୟ ଦିନକୁ ଦିନ କୋରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ କୋରୋନା ଭାଇରସକୁ ନେଇ ଭାରତୀୟ କ୍ରିକେଟର ରୋହିତ ଶର୍ମା ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି । ଭାଇରସର ମୁକାବିଲା ପାଇଁ ସମସ୍ତ ପ୍ରତିଷେଧକ ପଦକ୍ଷେପ ନେବାକୁ ସେ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ।
ସୋମବାର ତାଙ୍କ ଅଫିସିଆଲ୍ ଟ୍ବିଟର ଏବଂ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ରୋହିତ କହିଛନ୍ତି, ‘‘ କୋରୋନା ଭାଇରସର ମୁକାବିଲା ପାଇଁ ଲୋକମାନେ ସ୍ମାର୍ଟ ଏବଂ ସକ୍ରିୟ ହେବା ଆବଶ୍ୟକ । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ବରେ 6,000ରୁ ଅଧିକ ଲୋକଙ୍କ ଜୀବନ ନେଇସାରଛି ।
‘‘ଗତ କିଛି ସପ୍ତାହ ଆମ ସମସ୍ତଙ୍କ ପାଇଁ କଠିନ ଥିଲା ଏବଂ ସାରା ବିଶ୍ବ ସ୍ଥିର ସ୍ଥବ୍ଧ ହୋଇପଡିଛି । ଯାହା ଦେଖିବା ଅତ୍ୟନ୍ତ ଦୁଃଖଦାୟକ । ତେବେ ପରିସ୍ଥିତକୁ ଆୟତକୁ ଆଣିବା ପାଇଁ ହେଲେ ଏକମାତ୍ର ଉପାୟ ହେଉଛି ଆମ ସମସ୍ତେ ଏକାଠି ହେବା । ଆମେ ଏହା କରି ପାରିବା । ଟିକିଏ ସ୍ମାର୍ଟ ହେବା, ଟିକିଏ ସକ୍ରିୟ ହେବା, ଆମେ ଆମର ପରିବେଶ ବିଷୟରେ ଜାଣିବା ଏବଂ ଯେତେବେଳେ ଆମେ ଭାଇରସର କୌଣସି ଲକ୍ଷଣ ଦେଖିବା, ତୁରନ୍ତ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା କରିବା’’ ବୋଲି ରୋହିତ କହିଛନ୍ତି।
ଉଲ୍ଲେଖଥାଉ କି, ଦେଶର ବିଭିନ୍ନ ରାଜ୍ୟଗୁଡିକର ସରକାର ସମାବେଶକୁ ଏଡ଼ାଇବା ପାଇଁ ବିଦ୍ୟାଳୟ, ମଲ୍, ସିନେମା ହଲ୍ ବନ୍ଦ କରିବା ବ୍ୟତୀତ ସାମାଜିକ ଦୂରତା ଅନୁସରଣ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।