ନୂଆଦିଲ୍ଲୀ: ବିସିସିଆଇ ରବିବାର ଦିନ ଦଳର ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମାଙ୍କୁ ସମ୍ମାନଜନକ ‘ରାଜୀବ ଗାନ୍ଧୀ ଖେଲ ରତ୍ନ’ ପୁରସ୍କାର ପାଇଁ ମନୋନୀତ କରିଛି । ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ ଓପନର ଶିଖର ଧୱନ, ଦ୍ରୁତ ବୋଲର ଇଶାନ୍ତ ଶର୍ମା ଏବଂ ମହିଳା ଅଲରାଉଣ୍ଡର ଦୀପ୍ତି ଶର୍ମା ମନୋନୀତ ହୋଇଛନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନାମାଙ୍କନ ସମ୍ପର୍କରେ କହିଛନ୍ତି ଯେ ରୋହିତ ଜଣେ ବ୍ୟାଟ୍ସମ୍ୟାନ ଭାବରେ ନୂତନ ମାନଦଣ୍ଡ ସ୍ଥାପନ କରିଛନ୍ତି ଏବଂ ସେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନର ଯୋଗ୍ୟ।
“ଆମେ ଅନେକ ତଥ୍ୟର ସମୀକ୍ଷା କରିଥିଲୁ ଏବଂ ମନୋନୟନ ପାଇଁ ସର୍ଟଲିଷ୍ଟ କରିବା ପୂର୍ବରୁ ବିଭିନ୍ନ ପାରାମିଟର ବିଷୟରେ ବିଚାର କରିଥିଲୁ । ରୋହିତ ଶର୍ମା ଜଣେ ବ୍ୟାଟ୍ସମ୍ୟାନ ଭାବରେ ନୂତନ ମାନଦଣ୍ଡ ସ୍ଥିର କରିଛନ୍ତି ଏବଂ ଖେଳର ଛୋଟ ଫର୍ମାଟରେ ସେ ଯାହା କରିଛନ୍ତି ସାଧାରଣ ଲୋକେ ଭାବି ବି ପାରନ୍ତିନି । ସେ ଏହି ସମ୍ମାନ ପାଇବା ପାଇଁ ଯୋଗ୍ୟ,’’ ବୋଲି ଗାଙ୍ଗୁଲି କହିଛନ୍ତି ।