ଦୁବାଇ: ପୁରା ସିରିଜରେ ଗର୍ଜିଥିଲା ଅଧିନାୟକଙ୍କ ବ୍ୟାଟ୍ । ଆଉ ତାଙ୍କୁ ଉପଯୁକ୍ତ ସମର୍ଥନ ଦେଇଥିଲେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନ । ଏହାସହ ଚତ୍ମକାର ପ୍ରଦର୍ଶନ କରିଥିଲେ ବୋଲର । ଏପରି ଅଲରାଉଣ୍ଡର ସଫଳତା ଯୋଗୁଁ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ ସୁଇପ୍ କରିଛି ଅଷ୍ଟ୍ରେଲିଆ ଦଳ ।
ଶେଷ ତଥା 5ମ ଦିନିକିଆକୁ ୨୦ ରନରେ ଜିତି କଙ୍ଗାରୁ ଦଳ ୫-୦ରେ ସିରିଜ ପୋଛି ନେଇଛି । ଭାରତ ବିପକ୍ଷ ସିରିଜ ଠାରୁ ଲଗାତାର ୮ଟି ମ୍ୟାଚ ଜିତିବାର ରେକର୍ଡ ମଧ୍ୟ କରିଛି ଅଷ୍ଟ୍ରେଲିଆ । ପୂର୍ବରୁ ଖେଳାଯାଇଥିବା ସମସ୍ତ 4ଟି ମ୍ୟାଚ ଜିତିନେଇଥିଲା ଭ୍ରମଣକାରୀ ଦଳ ।
ରବିବାର ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆର ଟପ୍ ଫୋର ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ୭ ୱିକେଟ୍ ହରାଇ ଅଷ୍ଟ୍ରେଲିଆ ୩୨୭ ରନ କରିଥିଲା । ଉସମାନ ଖ୍ବାଜା ୯୮, ଆରୋନ ଫିଞ୍ଚ ୫୩, ସନ ମାର୍ସ ୬୧ ଏବଂ ଗ୍ଲେନ ମ୍ୟାକ୍ସୱେଲ ବିସ୍ଫୋରକ ୭୦ ରନର ପାଳି ଖେଳିଥିଲେ ।
ପାକିସ୍ତାନ ପକ୍ଷରୁ ଉସମାନ ଶିନୱାରି ୪ଟି ଏବଂ ଜୁନୈଦ ଖାନ ୩ଟି ୱିକେଟ୍ ପାଇଥିଲେ । ଜବାବରେ ପାକିସ୍ତାନ ହାରିସ୍ ସୋହେଲ (୧୩୦ ରନ, ୧୨୯ ବଲ, ୧୧ ଚୌକା, ୩ ଛକା)ଙ୍କ ଶତକ ସହାୟତାରେ ଦୃଢ ଜବାବ ଦେଇଥିଲେ ମଧ୍ୟ 7 ୱିକେଟ୍ ହରାଇ ୩୦୭ ରନ କରିପାରିଥିଲା । ତାଙ୍କ ବ୍ୟତୀତ ସନ ମାସୁଦ (50 ରନ, 54 ବଲ, 3 ଚୌକା) ଏବଂ ଇମଦ୍ ୱାସିମ (50 ନଟଆଉଟ୍, 34 ବଲ, 6 ଚୌକା, 1 ଛକା) ଅର୍ଦ୍ଧଶତକ ହାସଲ କରିଥିଲେ । କଙ୍ଗାରୁ ଦଳର ବେହରନଡର୍ଫ ସର୍ବାଧିକ 3ଟି ୱିକେଟ୍ ନେଇଥିଲେ ।
ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଗ୍ଲେନ ମ୍ୟାକ୍ସୱେଲ୍ (70 ରନ ଓ 1 ୱିକେଟ୍) ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅଧିନାୟକ ଆରୋନ ଫିଞ୍ଚ ମ୍ୟାନ ଅଫ୍ ଦି ସିରିଜ ଘୋଷିତ ହୋଇଛନ୍ତି । ସେ ପୁରା ସିରିଜରେ 2ଟି ଶତକ ଓ 2ଟି ଅର୍ଦ୍ଧଶତକ ସହ ମୋଟ୍ 451 ରନ ସଂଗ୍ରହ କରିଛନ୍ତି ।