ମୁମ୍ବାଇ: ମୁସ୍ତାକ ଅଲ୍ଲୀ ଟ୍ରଫିରେ ଏଥର ଶିଖର ଧାୱନ, ସୁରେଶ ରାଇନା ଓ ଇଶାନ୍ତ ଶର୍ମାଙ୍କ ଭଳି ତାରକା ଖେଳାଳି ଭାଗ ନେଉଛନ୍ତି । ଏହାବ୍ୟତୀତ ଆଇପିଏଲ ସ୍ପଷ୍ଟ ଫିକ୍ସିଂ ମାମଲାରେ 7ବର୍ଷ ବାସନ୍ଦାଦେଶ ଭୋଗିଥିବା ଦ୍ରୁତ ବୋଲର ଏସ. ଶ୍ରୀସନ୍ତ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରୀସନ୍ତ ଟି-20 ଜାତୀୟ ଚମ୍ପିଆନସିପରେ କେରଳ ପକ୍ଷରୁ ଖେଳିବେ । ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ 10ରୁ 31 ପର୍ଯ୍ୟନ୍ତ ଖେଳାଯିବ ।
ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଚୟନକର୍ତ୍ତା କମିଟିକୁ ଟି-20 ବିଶ୍ବକପ ପାଇଁ ଖେଳାଳିଙ୍କ ଦକ୍ଷତା ଓ ଫର୍ମ ପରଖିବା ସହଜ ହେବ । ଟି-20 ବିଶ୍ବକପ ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଖେଳାଯିବ । ଗତବର୍ଷ ମାର୍ଚ୍ଚରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ମହାମାରୀ ଯୋଗୁଁ ଭାରତରେ କୌଣସି କ୍ରିକେଟ ଖେଳାଯାଇନାହିଁ । ଭାରତୀୟ କ୍ରିକେଟ ବୋର୍ଡ 6ଟି ପୃଥକ ସ୍ଥାନରେ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତ କରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯୋଜନା କରିଛି ।
ଟୁର୍ଣ୍ଣାମେଣ୍ଟରେ 6ଟି ଗ୍ରୁପ୍ରେ (5 ଏଲିଟ ଗ୍ରୁପ ଓ 1 ପ୍ଲେଟ)ରେ ବିଭକ୍ତ କରାଯାଇଛି । ମୁମ୍ବାଇ, ଭଦୋଦରା, ଇନ୍ଦୋର, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳାଯିବା ସମସ୍ତ ମ୍ୟାଚ । ନକଆଉଟ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ । ତେବେ ଏହି ପ୍ରତିକ୍ଷୀତ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ବିବାଦ ଘେରକୁ ଆସିଯାଇଛି । ଦକ୍ଷିଣ ମୁମ୍ବାଇର ଏକ ବିଳାସମୟ ହୋଟେଲରେ କିଛି ଖେଳାଳି ଖରାପମାନର ଖାଦ୍ୟ ମିଳିବାପରେ ଅଭିଯୋଗ ଆଣିଥିଲେ । ପରେ ପ୍ଲେଟ ଗ୍ରୁପର 3ଟି ଟିମ ଚେନ୍ନାଇର ଯେଉଁ ହୋଟେଲରେ ରହିଥିଲା, ସେଠାରୁ ଜଣେ କର୍ମଚାରୀ କୋରାନା ପଜିଟିଭ ଚିହ୍ନଟ ହୋଇଥିଲେ ।
ମାତ୍ର ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାପରେ ଫୋକସ କେବଳ କ୍ରିକେଟ ଉପରେ ରହିବ । ସମସ୍ତଙ୍କ ନଜର ଋତୁରାଜ ଗାଏକ୍ବାଡ, ପ୍ରିୟମ ଗର୍ଗ, ଜଶ୍ବସୀ ଜୟସ୍ବାଲ, ଶିବମ ଦୁବେ, ସର୍ଫରାଜ ଖାନ ଓ ଏମ ସିଦ୍ଧାର୍ଥଙ୍କ ଭଳି ଯୁବ ଖେଳାଳିଙ୍କ ଉପରେ ରହିବ ।
ଗତବର୍ଷ ଆଇପିଏଲ ସମୟରେ ଆହତ ଯୋଗୁଁ ବାଦ ପଡିଥିବା ଇଶାନ୍ତ ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ । ସେହିପରି ଉତ୍ତର ପ୍ରଦେଶ ଟିମର ଦ୍ରୁତ ବୋଲର ଭୁବନେଶ୍ବର କୁମାର ନିଜର ଫର୍ମ ଓ ଫିଟନେସ ପ୍ରମାଣିତ କରିବା ଲକ୍ଷ୍ୟରେ ଖେଳିବେ । ଆହତ କାରଣରୁ ସେ ଆଇପିଏଲ ଓ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡିଥିଲେ ।
ବ୍ୟକ୍ତିଗତ କାରଣରୁ ଆଇପିଏଲ ଖେଳିନଥିବା ସୁରେଶ ରାଇନା ମଧ୍ୟ ଉତ୍ତର ପ୍ରଦେଶ ଟିମରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଗୁରୁତ୍ବପୂର୍ଣ୍ଣ ରହିଛି । ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ମଧ୍ୟ ମୁମ୍ବାଇର ସିନିୟର ଟିମରେ ପ୍ରଥମ ଥର ଖେଳିବେ । ଗୋଟିଏ ମ୍ୟାଚ ଖେଳିବା ପରେ ଆଇପିଏଲ ନିଲାମରେ ଭାଗନେବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଯିବେ ।
ଗ୍ରୁପ୍: