ନୂଆଦିଲ୍ଲୀ: ସତ ହେଲା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଭବିଷ୍ୟତ ବାଣୀ । ପାକିସ୍ତାନ କ୍ରିକେଟ ବୋର୍ଡଙ୍କ ଅଭିଯୋଗ ଭୁଲ ପ୍ରମାଣିତ ହେଲା । ଏସିଆ କପ 2020କୁ ସ୍ଥଗିତ ରଖାଗଲା । ଏନେଇ ଏସିଆନ କ୍ରିକେଟ୍ ପରିଷଦ (ଏସିସି) ଗୁରୁବାର ନିଶ୍ଚିତ କରିଛି । ତେବେ କୋଭିଡ -19 ମହାମାରୀ ଯୋଗୁଁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିବା କହିଛି ଏସିସି । ଅନ୍ୟପଟେ ଆସନ୍ତା ବର୍ଷ ଅର୍ଥାତ 2021ରେ ଏସିଆ କପ ଶ୍ରୀଲଙ୍କା ଆୟୋଜନ କରିବ ବୋଲି ସ୍ଥିର ହୋଇଛି ।
ସୂଚନାଥାଉ କି, ଚଳିତ ବର୍ଷ ଏସିଆ କପ ଆୟୋଜନ ଭାର ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) କାନ୍ଧରେ ରହିଥିଲା । ବୁଧବାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏସିଆ କପ ବାତିଲ ନେଇ ସୂଚନା ଦେଇଥିଲେ । ପରେ ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ କ୍ଷୋଭ ପ୍ରକାଶ କରଥିଲା ।
‘‘ଏକ ଦାୟିତ୍ବ ପୂର୍ଣ୍ଣ ଭାବରେ ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ଏସିସିର ପ୍ରାଥମିକତା ଅଟେ । 2021 ମସିହାରେ ଏହି ଟୁର୍ଣ୍ଣାମେଣ୍ଟ ସଠିକ୍ ରୂପେ ଅନୁଷ୍ଠିତ ହୋଇପାରିବ ବୋଲି ବୋର୍ଡ ଆଶା କରୁଛି । ଆସନ୍ତା ବର୍ଷ ଜୁନକୁ ସମାନ ଭାବରେ ସୁରକ୍ଷିତ କାର୍ଯ୍ୟସୂଚୀ ଘୋଷଣା କରୁଛି’’ବୋଲି ଏସିସି କହିଛି ।