କୋଚି: 7 ବର୍ଷ ପରେ ପଡ଼ିଆକୁ ଓହ୍ଲାଇବେ ବିବାଦୀୟ ଭାରତୀୟ ଫାଷ୍ଟ ବୋଲର ଏସ ଶ୍ରୀସନ୍ଥ । କେରଳରେ ହେବାକୁ ଥିବା କେସିଏ ପ୍ରେସିଡେଣ୍ଟ କପ ଟି-20 ଚ୍ୟାଲେଞ୍ଜରେ ପୁଣି ନିଜର ଜଲୱା ଦେଖାଇବେ ଏହି ଫାଷ୍ଟ ବୋଲର । ତାଙ୍କୁ ଖେଳିବାକୁ ଅନୁମତି ଦେଇଥିବାରୁ ସେ କେରଳ କ୍ରିକେଟ ଆସୋସିଏସନ ଓ ବିସିସିଆଇକୁ ଧନ୍ୟବାଦ ଦେଇଛନ୍ତି ।
କେରଳ କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ପ୍ରେସିଡେଣ୍ଟ କପ ଟି-20 ଚ୍ୟାଲେଞ୍ଜ ଆୟୋଜନ କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ କେସିଏ ଟାଇଗର ଦଳ ପକ୍ଷରୁ ଖେଳିବେ ଶ୍ରୀସନ୍ଥ। କେରଳର ଆଲାପୁଝାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଥିବା ଖେଳାଳିଙ୍କ ନାମ ପ୍ରକାଶ କରିଛି କେରଳ କ୍ରିକେଟ ଆସୋସିଏସନ । ଏଥିରେ ଶ୍ରୀସନ୍ଥଙ୍କ ନାମ ରହିଛି । ଡିସେମ୍ବର 20 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିପାଇଁ ଆଜି (ଶୁକ୍ରବାର) ପଡି଼ଆରେ ଜୋରଦାର ଅଭ୍ୟାସ କରିଛନ୍ତି ଏହି 37 ବର୍ଷୀୟ କ୍ରିକେଟର।
2013 ମସିହାରେ ଆଇପିଏଲର ସ୍ପଟ ଫିକ୍ସିଂ ମାମଲାରେ ସଂପୃକ୍ତ ଥିଲେ ଏସ. ଶ୍ରୀସନ୍ଥ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବେଳେ ଶ୍ରୀସନ୍ଥଙ୍କ ସହ ଅଜିତ ଚାଣ୍ଡିଲା ଓ ଅଙ୍କିତ ଚୌହାନ ମଧ୍ୟ ସ୍ପଟ ଫିକ୍ସିଂ ମାମଲାରେ ସଂପୃକ୍ତ ରହିଥିଲେ। ଏଥିପାଇଁ 3 ଜଣ ଜଣେ ବୁକି ସହ ସମ୍ପର୍କରେ ରହିଥିବା ନେଇ ପ୍ରମାଣ ମିଳିଥିଲା। ଏହାପରେ ବିସିସିଆଇ ଶ୍ରୀସନ୍ଥଙ୍କ ସହ ଅଜିତ ଚାଣ୍ଡିଲା ଓ ଅଙ୍କିତ ଚୌହାନଙ୍କୁ ଆଜୀବନ କ୍ରିକେଟ ବ୍ୟାନ ନେଇ ଦଣ୍ଡ ଦେଇଥିଲା। ଏହାପରେ ତାଙ୍କ କ୍ରିକେଟ ଜୀବନ ଏକ ପ୍ରକାର ସମାପ୍ତ ହୋଇ ଯାଇଥିଲା। ତେବେ ଗତ ବର୍ଷ ଏହି ଦଣ୍ଡକୁ କମାଇ 7 ବର୍ଷ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିଲା ବିସିସିଆଇ । ଏଥିପାଇଁ ବିସିସିଆଇ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।