ହାଇଦ୍ରାବାଦ: ବଲିଉଡକୁ ଲାଗିଛି ଆଉ ଏକ ଝଟକା । ଆର ପାରିରେ ବଲିଉଡ ଆକ୍ଟର ତଥା ‘ଏମଏସ ଧୋନି- ଦ ଅନ ଟୋଲ୍ଡ ଷ୍ଟୋରୀ’ ଫେମ ଆକ୍ଟର ସୁଶାନ୍ତ ସିଂ ରାଜପୁତ୍ । 34 ବର୍ଷ ବୟସରେ ସୁଶାନ୍ତଙ୍କ ଦେହାନ୍ତ ଘଟିଛି । ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ସୁଶାନ୍ତଙ୍କ ଦେହାନ୍ତରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହ୍ୟାସ ଟ୍ୟାଗ୍ ଧୋନି (#ଧୋନି) ।
ତେବେ ବଲିଉଡରେ ଏହି ଷ୍ଟାଇଲିସ୍ ଆକ୍ଟରଙ୍କ ବହୁ ହିଟ୍ ମୁଭି ମଧ୍ୟରେ ଧୋନିଙ୍କ ଆତ୍ମଜୀବନୀ ‘ଏମଏସ ଧୋନି- ଦ ଅନ ଟୋଲ୍ଡ ଷ୍ଟୋରୀ’ରହିଥିଲା । 2016 ସେପ୍ଟେମ୍ବର 30 ତାରିଖରେ ରିଲିଜ ହୋଇଥିବା ଏହି ଫିଲ୍ମଟି ଧୋନିଙ୍କ ଜୀବନ ଉପରେ ଆଧାରିତ ହୋଇଥିଲା । ଧୋନିଙ୍କ ପିଲା ଦିନଠାରୁ 2011 କ୍ରିକେଟ ବିଶ୍ବକପ ବିଜୟ ପର୍ଯ୍ୟନ୍ତ ସମସ୍ତ ଚିତ୍ର ଏହି ଫିଲ୍ମରେ ସ୍ଥାନ ପାଇଥିଲା । ତେବେ ବିଶ୍ବକପରେ ଫାଇନାଲ ମ୍ୟାଚରେ ଧୋନିଙ୍କ ସେହି ବିଜୟୀ ଛକା ଫିଲ୍ମରେ ଅବିକଳ ଚିତ୍ରଣ କରାଯାଇଥିଲା । ଯାହାକୁ ଆଜି ସମସ୍ତ ଭାରତୀୟ କ୍ରିକେଟ ପ୍ରେମୀ ମନେ ପକାଉଛନ୍ତି ।