ଖ୍ରୀଷ୍ଟଚର୍ଚ୍ଚ: ପରାଜୟରେ ଶେଷ ହୋଇଛି ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ । ପୁଣି ଏକ ବଡ ଟେଷ୍ଟ ପରାଜୟ ଭୋଗିଛି ଭାରତ । ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟକୁ ସହଜରେ ଜିତିନେଇ 2ଟିକିଆ ଟେଷ୍ଟ ସିରିଜକୁ 2-0ରେ ପୋଛି ନେଇଛି ଘରୋଇ ନ୍ୟୁଜିଲାଣ୍ଡ ।
ପ୍ରାୟ 8ବର୍ଷ ପରେ କୌଣସି ଦଳ, ଭାରତୀୟ ଦଳ ବିପକ୍ଷରେ ଟେଷ୍ଟ ସିରିଜ କ୍ଲିନ ସୁଇପ କରିଛି । ପ୍ରଥମ ଟେଷ୍ଟ ଭଳି 2ୟ ଟେଷ୍ଟରେ ମଧ୍ୟରେ ବିରାଟ ବାହିନୀର ନୈରାଶଜନକ ପ୍ରଦର୍ଶନ ରହିଛି । ଶେଷ ଟେଷ୍ଟରେ ଭାରତୀୟ ବୋଲର କିଛି ଆଶା ଦେଖାଇଥିଲେ ମଧ୍ୟ ତାହା ପରାଜୟକୁ ରୋକିବାରେ ଅସଫଳ ହୋଇଛି ।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ପ୍ରଥମ ଇଂନିସରେ 242 ରନ କରିବାକୁ ସମର୍ଥ ହୋଇଥିଲା । ଯୁବ ଓପନର ପୃଥ୍ବୀ ସ’ 54, ଚେତେଶ୍ବର ପୂଜାରା 54 ଓ ହନୁମା ବିହାରୀ 55 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ତେବେ କ୍ୟାପଟେନ ବିରାଟ କୋହଲି, ଭାଇସ କ୍ୟାପଟେନ ଅଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ 2ଅଙ୍କ ସ୍ପର୍ଶ କରିନପାରି ଫେଲ ମାରିଥିଲେ ।
ନିଜର ଡେବ୍ୟୁ ଟେଷ୍ଟ ଖେଳିଥିବା କେଲ ଜେମିଏସନ ପ୍ରଥମ ଇଂନିସରେ ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ । 5ଟି ୱିକେଟ ଅକ୍ତିଆର କରି ଭାରତର ବ୍ୟାଟିଂ ଲାଇନଅପକୁ ଧ୍ବସ୍ତ କରଦେଇଥିଲେ । ପରେ ଅଭିଜ୍ଞ ଟିମ ସାଉଦୀ, ଟ୍ରେଣ୍ଟ ବୋଲ୍ଟ ମଧ୍ୟ 2 ଲେଖାଏଁ ୱିକେଟ ନେଇ ଭାରତୀୟ ଇଂନିସକୁ 242ରନରେ ରୋକିଥିଲେ ।