ଲଣ୍ଡନ: ଭେଟେରାନ କ୍ରିକେଟର ତଥା ଶ୍ରୀଲଙ୍କା ଟିମର ପୂର୍ବତନ କ୍ୟାପଟେନ କୁମାର ସାଙ୍ଗାକାରା ଆତଙ୍କବାଦୀ ଆକ୍ରମଣକୁ ନେଇ ଖୁଲାସା କରିଛନ୍ତି। ଲାହୋରରେ ଶ୍ରୀଲଙ୍କା କ୍ରିକେଟ ଟିମ ବସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଜୀବନର ସବୁଠୁ ଖରାପ ଅନୁଭୁତି ବୋଲି ସାଙ୍ଗାକାରା କହିଛନ୍ତି। ଏହି ଆକ୍ରମଣ ତାଙ୍କୁ ନିଜକୁ ଚିହ୍ନିବାକୁ ବାଧ୍ୟ କରିଥିଲା। ପରିଚୟକୁ ନେଇ ଅନେକ କିଛି ଶିକ୍ଷା ଦେଇଥିଲା କହିଛନ୍ତି ଏହି ଭେଟେରାନ କ୍ରିକେଟର।
କୁମାରା ସାଙ୍ଗାକାରା ମେଲବୋର୍ଣ୍ଣ କ୍ରିକେଟ କ୍ଳବ(MCC)ର ସଭାପତି ରହିଛନ୍ତି। ପୁନର୍ବାର କ୍ରିକେଟ ଖେଳିବାକୁ ଲାହୋର ପହଞ୍ଚିଛନ୍ତି ସାଙ୍ଗାକାରା । ସ୍ଥାନୀୟ ଗଦ୍ଦାଫି ଷ୍ଟାଡିୟମରେ ଆଜିଠାରୁ ମେଲବୋର୍ଣ୍ଣ କ୍ରିକେଟ କ୍ଳବ ଓ ଲାହୋର କ୍ବାଲାଣ୍ଡର ମଧ୍ୟରେ ଟି-20 ସିରିଜ ଖେଳାଯିବ । ଏମସିସିର 12ଜଣିଆ ଦଳରେ ଇଂଲଣ୍ଡର ରବି ବୋପାରା, ରୋଲଫ ଭାନ ଡର ମରୱେ, ରସ ହ୍ବାଇଟଲେ ଭଳି ଷ୍ଟାର କ୍ରିକେଟର ରହିଛନ୍ତି ।
ପାକିସ୍ତାନରେ ବର୍ଷ 2009ରେ ଶ୍ରୀଲଙ୍କା କ୍ରିକେଟ ଟିମର ବସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଶ୍ରୀଲଙ୍କା ଖେଳାଳି ଏକ ଟେଷ୍ଟ ମ୍ୟାଚ ପାଇଁ ଲାହୋର ଷ୍ଟାଡିୟମକୁ ବସରେ ଯାତ୍ରା କରୁଥିବା ସମୟରେ, ହଠାତ ବସ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଭୟାନକ ଆକ୍ରମଣରେ 8 ଜଣଙ୍କ ଜୀବନ ଚାଲିଯାଇଥିଲା। 7ଜଣ ଶ୍ରୀଲଙ୍କା ଖେଳାଳି ଗୁରୁତର ଭାବେ ଆହତ ହୋଇଥିଲେ। ବଡଧରଣର କ୍ଷୟକ୍ଷତିରୁ ସେଦିନ ବଞ୍ଚିଯାଇଥିଲା ଶ୍ରୀଲଙ୍କା ଟିମ । ତାଲିବାନ ଓ ଲସ୍କର-ଇ-ଝାଙ୍ଗବି(LEJ) ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ କରିଥିବା ଜଣାପଡିଥିଲା ।
ଏହି ଘଟଣାପରେ ସୁରକ୍ଷା କରଣରୁ ପାକିସ୍ତାନରେ କ୍ରିକେଟ ଖେଳିବାକୁ କୌଣସି ଟିମ ଇଚ୍ଛାପ୍ରକାଶ କରିନଥିଲେ। ପ୍ରାୟ 10 ଦଶ ବର୍ଷ ପରେ ଶ୍ରୀଲଙ୍କା ଟିମ ପାକିସ୍ତାନ ଗସ୍ତରେ ଆସି ଟି-20 ସିରିଜ ଖେଳିଥିଲା। ଏହାପରେ ପାକିସ୍ତାନରେ କ୍ରିକେଟ ସ୍ବାଭାବିକ ହେବାକୁ ଲାଗିଛି ।