ହାଇଦ୍ରାବାଦ: ବିଶ୍ବ କ୍ରିକେଟର କିଛି ଶକ୍ତିଶାଳୀ ଦଳମାନଙ୍କ ସହ ଭାରତ ନାମ ମଧ୍ୟ ଯୋଡା ଯାଏ । ଉନ୍ନତମାନର କ୍ରିକେଟ କୌଶଳ ଓ ବିଚକ୍ଷଣ ଖେଳାଳିଙ୍କ ପାଇଁ ଭାରତୀୟ କ୍ରିକେଟର ମାନ ଆଜି ବଦଳି ଯାଇଛି । ଆଉ ଠିକ୍ 37 ତଳେ ମଧ୍ୟ ଏମିତି କିଛି ଘଟିଥିଲା । ଟୁର୍ଣ୍ଣାମେଣ୍ଟର ଅଣ୍ଡରଡଗ୍ ଥିବା ଯୁବ ଭାରତୀୟ ଦଳ ଫାଇନାଲ ମ୍ୟାଚ ଖେଳିବା ସହ ସେ ସମୟର ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଥିଲା । ଅଲରାଉଣ୍ଡର କପିଳ ଦେବଙ୍କ ନେତୃତ୍ବାଧିନ ଯୁବ ଭାରତୀୟ ଦଳ ଆଜିକୁ 37 ବର୍ଷ ତଳ ଅର୍ଥାତ 1983 ମସିହା ଜୁନ 25 ତାରିଖରେ ଇଂଲଣ୍ଡର ଐତିହାସିକ ଲର୍ଡ୍ସ ମୈଦାନରେ ଭାରତ ପାଇଁ ପ୍ରଥମ ବିଶ୍ବକପ ଆଣିଥିଲା । 43 ରନରେ କାରବିଆନ ଦଳ ପରାସ୍ତ ହୋଇଥିଲା ।
ତେବେ 83 ବିଶ୍ବକପର ଆୟୋଜକ ଥିଲା ଇଂଲଣ୍ଡ ଦଳ । ଜୁନ 9ରୁ 25 ତାରିଖ ମଧ୍ୟରେ ଆୟୋଜନ ହୋଇଥିଲା ଟୁର୍ଣ୍ଣାମେଣ୍ଟ । ପ୍ରତି ମ୍ୟାଚରେ 60 ଓଭରର ବିଶିଷ୍ଟ ଥିଲା । ତେବେ ଏହି ବିଶ୍ବକପର ନାମ ଥିଲା ପୃଡେଣ୍ଟାଲ କପ । ଯାହା କି ବିଶ୍ବକପର 3ୟ ସଂସ୍କରଣ ଥିଲା । ତେବେ 37 ବର୍ଷ ତଳର ସେହି ବିଜୟୀ ମୂହୁର୍ତ୍ତକୁ ଆଉଥରେ ମନେ ପକାଇବା ।
ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନିଏ ଦୁଇ ଥର ଡିଫେଣ୍ଡିଂ ଚମ୍ପିଆନ ୱେଷ୍ଟଇଣ୍ଡିଜ । ଭାରତ ପାଇଁ ଓପନ କରିବାକୁ ଆସନ୍ତି ଗାଭାସ୍କର ଓ ଶ୍ରୀକାନ୍ତ । ତେବେ ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଲିଟିଲ ମାଷ୍ଟର କିନ୍ତୁ ଫାଇନାଲରେ ଫେଲ ମାରନ୍ତି । ସେହିପରି 100 ରନ ପୂର୍ବରୁ ଭାରତୀୟ ଟପ ଅର୍ଡର ଭାଙ୍ଗିଯାଏ । ତେବେ ପଞ୍ଜମ ୱିକେଟ ପାଇଁ ଆସନ୍ତି ଅଧିନାୟକ କପିଲ ଦେବ । ଆଶା ଥାଏ ସେମିଫାଇନାଲ ମ୍ୟାଚ ପରି କପିଳ ଏହି ସଙ୍କଟ ମୁହୂର୍ତ୍ତରେ ଦଳ ପାଇଁ ସ୍କୋର କରିବେ ମାତ୍ର 15 ରନ କରି ଆଉଟ ହୋଇଥିଲେ କପିଳ ଦେବ । ଏମିତି କରି ଭାରତର ଗୋଟେ ପରେ ଗୋଟେ ୱିକେଟ ପତନ ହୋଇଯାଏ । କାରବିଆନର ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ । ଫଳରେ ଲୋ-ସ୍କୋରିଂ ମ୍ୟାଚରେ ଭାରତ ମାତ୍ର 183ରନ କରିପାରେ ।