ସିଡନୀ: ପୁଣି ଚର୍ଚ୍ଚାରେ ରହିଛି ଅଷ୍ଟ୍ରେଲିଆ କ୍ରିକେଟରଙ୍କ ସାଣ୍ଡ୍ ପେପର ଗେଟ ବିବାଦ । 2018ରେ ହୋଇଥିବା ଏହି ବଲ ଟାମ୍ପରିଂ ବିବାଦକୁ ନେଇ କାହା ପାଖରେ କୌଣସି ତଥ୍ୟ ଥିଲେ ପ୍ରକାଶ କରିବାକୁ କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ । ଏହି ବିବାଦରେ କ୍ରିକେଟରୁ ବ୍ୟାନ ହୋଇଥିବା ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ କ୍ୟାମେରନ ବ୍ୟାନକ୍ରଫ୍ଟ । ତେବେ ତାଙ୍କର ଆଉ ଏକ ମନ୍ତବ୍ୟ ପରେ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛି ଏହି ବିବାଦ ।
ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ସମୟରେ ହୋଇଥିବା ଏହି ବଲ ଟ୍ୟାମ୍ପରିଂ ବିଷୟରେ ଅଷ୍ଟ୍ରେଲିଆର ବୋଲରମାନେ ଅବଗତ ଥିଲେ ବୋଲି କହିଛନ୍ତି କ୍ୟାମେରନ ବ୍ୟାନକ୍ରଫ୍ଟ । ଏହାକୁ ନେଇ ଯୋଜନା କରାଯାଇଥିବା ବୋଲି ଖୁଲାସା କରିଛନ୍ତି ଏହି ବିବାଦୀୟ କ୍ରିକେଟର । ଏହାପରେ ଏହି ବିବାଦକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ମଧ୍ୟ ପୁଣି ସାମ୍ନାକୁ ଆସିଛି ।
ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, " ସାଣ୍ଡ୍ ପେପର ଗେଟ ବିବାଦକୁ ନେଇ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି । ଏହି ବିବାଦକୁ ନେଇ କାହା ପାଖରେ କିଛି ବି ତଥ୍ୟ ଅଛି ଦେବାକୁ କୁହାଯାଇଛି । କେପଟାଉନ ଟେଷ୍ଟ ମ୍ୟାଚରେ ହୋଇଥିବା ଏହି ବିବାଦକୁ ନେଇ ଅତି ନିରପେକ୍ଷ ଭାବରେ ଯାଞ୍ଚ କରାଇଥିଲା । ଏହାପରେ ଆମ ପାଖକୁ ଆଉ କୌଣସି ତଥ୍ୟ ମିଳିନାହିଁ।"