କଟକ: ମେଲବର୍ଣ୍ଣରେ ବିରାଟ ପାଳି । ପାକିସ୍ତାନକୁ ୪ ୱିକେଟରେ ହରାଇ ଚଳିତ ଟି୨୦ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୬୦ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଭାରତ ବିରାଟ କୋହଲିଙ୍କ ଲଢୁଆ ଇନିଂସ ବଳରେ ଟାର୍ଗେଟ ହାସଲ କରିଥିଲା । ଏହି ମ୍ୟାଚରେ ବିରାଟଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାର୍ଟନରସିପ୍ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା । ମ୍ୟାଚ ବିଜୟ ପରେ ମେଲବର୍ଣ୍ଣରୁ ଭାରତ, ସବୁଠି ଦେଖାଦେଇଛି ଭାରତ ବିଜୟ ସେଲିବ୍ରେସନର ମାହୋଲ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ।
ପବନ ଅଗ୍ରୱାଲ କହିଛନ୍ତି, "ଆଜିର ମ୍ୟାଚ ଏକ ଐତିହାସିକ ମ୍ୟାଚ୍ ଥିଲା । ବିରାଟ କୋହଲି ଏହି ମ୍ୟାଚ୍ରେ ବିସ୍ଫୋରକ ଇନିଂସ ଖେଳିଛନ୍ତି । ଏହା ବିରାଟ କୋହଲିଙ୍କ ସର୍ବଶ୍ରେଷ୍ଠ ଇନିଂସ । ଏହା ସହିତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ମଧ୍ୟ ମ୍ୟାଚ୍ ଜିତାଇବାରେ ଅବଦାନ ରହିଛି । ସେ ବିରାଟଙ୍କ ସହିତ ପାଳି ସମ୍ଭାଳିବା ସହିତ ୩ଟି ୱିକେଟ୍ ମଧ୍ୟ ନେଇଛନ୍ତି । ଆଜିର ମ୍ୟାଚରେ ବିଶ୍ବର କ୍ରିକେଟ ପ୍ରଶଂସକ ବହୁତ ଉତ୍ସାହର ସହିତ ଦେଖିଥିଲେ । ତେବେ ପାକିସ୍ତାନ ସହିତ ମ୍ୟାଚ ଜିତିବା ପରେ ଭାରତର ମନୋବଳ ବୃଦ୍ଧି ପାଇଛି । ପରବର୍ତ୍ତୀ ମ୍ୟାଚରେ ଭାରତ ଦୃଢ ମନୋବଳ ସହିତ ମଇଦାନକୁ ଓହ୍ଲାଇବ । ଆଜିର ମ୍ୟାଚରେ ହିରୋ ସାଜିଥିଲେ ବିରାଟ କୋହଲି । ବିରାଟ କୋହଲିଙ୍କର ଏଭଳି ପ୍ରଦର୍ଶନ ସବୁଦିନ ପାଇଁ ଜାରି ରହୁ । ଭାରତ ବହୁତ ଦିନ ହେବ ICC ଟ୍ରଫି ହାତେଇନାହିଁ । ଯଦି ବିରାଟ କୋହଲି ଏଭଳି ଫର୍ମରେ ରୁହନ୍ତି ତାହେଲେ ଭାରତ ICC ଟ୍ରଫି ଜିତିବ ।"