ମୁମ୍ବାଇ: ବହୁ ମାନସ ମନ୍ଥନ ପରେ ଏସିଆ କପ୍ ପାଇଁ ୧୭ ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି । ଆଜି (ସୋମବାର) ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଚଳିତ ମାସ ୩୦ ତାରିଖରେ ଆରମ୍ଭ ହେବାକୁଥିବା ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ସ୍କ୍ବାଡ୍ ଘୋଷଣା କରିଛି । ମାତ୍ର ସବୁଠାରୁ ବଡ଼ ଖବର ହେଉଛି ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ବାହାରେ ଥିବା ଭେଟେରାନ ଓପନର୍ ଶିଖର ଧାୱନଙ୍କୁ ପୁଣିଥରେ ଅଣଦେଖା କରାଯାଇଛି । ଦୀର୍ଘଦିନରୁ ଅଣଦେଖାର ଶିକାର ହୋଇଆସୁଥିବା ଧାୱନ ଏସିଆ କପ୍ରେ ଦଳକୁ ଫେରିବେ ବୋଲି ଆଶା ରଖିଥିବା ପ୍ରଶଂସକମାନେ ମଧ୍ୟ ନିରାଶା ହୋଇଛନ୍ତି । ତେବେ ଏବେ ଧାୱନଙ୍କ ପାଇଁ ଓପନିଂରେ ସ୍ଥାନ ନଥିବା କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର୍ ।
'ଏବେ ଧାୱନଙ୍କ ପାଇଁ ସ୍ଥାନ ନାହିଁ': ଶିଖର ଧାୱନଙ୍କୁ ଏସିଆ କପ୍ ପାଇଁ ଦଳରେ ସାମିଲ ନକରାଇବା ନେଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର୍ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, "ରୋହିତ ଜଣେ ଭଲ ଓପନର୍, ଶୁଭମନ ଗିଲ ଏବଂ ଇଶାନ କିଶନ ବର୍ତ୍ତମାନ ସମୟରେ ପ୍ରିୟ ଓପନର୍ । ଧାୱନ ଦୀର୍ଘ ଦିନରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି । ଡିସେମ୍ବରରେ ସେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ । ସେବେଠାରୁ ସେ କୌଣସି ମ୍ୟାଚ୍ ଖେଳି ନାହାନ୍ତି । ସେ ଭାରତ ପାଇଁ ଜଣେ ଭଲ ଖେଳାଳି ହୋଇଛନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ଓପନିଂରେ ଆମର ସ୍ଥାନ ନାହିଁ ।" ତେବେ ଏସିଆନ ଗେମ୍ସ ପାଇଁ ଘୋଷଣା ହୋଇଥିବା ଦଳରେ ମଧ୍ୟ ଧାୱନଙ୍କୁ ସ୍ଥାନ ମିଳିନାହିଁ । ଏହି ଭେଟେରାନ ଖେଳାଳିଙ୍କୁ ଏପରି ଅଣଦେଖା କାରଣରୁ ସେ ଖୁବଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏମିତି ରହିଛି ଗବ୍ବର ରେକର୍ଡ: ଯଦିଓ ଶିଖର ଧାୱନ ନିକଟରେ କୌଣସି ବଡ଼ ଇନିଂସ ଖେଳିବାର ସୁଯୋଗ ପାଇନାହାନ୍ତି, କିନ୍ତୁ ଦିନିକିଆ କ୍ରିକେଟ୍ରେ ତାଙ୍କର କ୍ୟାରିୟର ଭଲ ରହିଛି । ୧୬୭ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଧାୱନ ୬,୭୯୩ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କ ନାମରେ ୧୭ ଶତକ ଓ ୩୯ ଅର୍ଦ୍ଧଶତକ ମଧ୍ୟ ରହିଛି । କେବଳ ସେତିକି ନୁହେଁ, ତାଙ୍କର ଏସିଆ କପ୍ରେ ମଧ୍ୟ ଚମତ୍କାର ରେକର୍ଡ ରହିଛି । ସେ ଏସିଆ କପ୍ରେ ୯ ମ୍ୟାଚ୍ ଖେଳି ୫୯.୩୩ ହାରରେ ୫୩୪ ରନ୍ ସଂଗ୍ରହ କରିଛନ୍ତି । ଏହି ଚାପବହୁଳ ପ୍ରତିଯୋଗିତାରେ ସେ ଦୁଇ ଶତକ ମଧ୍ୟ ହାସଲ କରିଛନ୍ତି ।