ମୁମ୍ବାଇ:ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ନାମରେ ଥାନାରେ ମାମଲା । ମଦ ପିଇ ପତ୍ନୀ ଆଣ୍ଡ୍ରେୟାଙ୍କୁ ମାଡ ମାରିବା ସହ ଅଶାଳୀନ ଭାଷାରେ ଗାଳି ଗୁଲଜ କରୁଛନ୍ତି ବିନୋଦ କାମ୍ବଲି । ବାନ୍ଦ୍ରା ପୋଲିସ ଷ୍ଟେସନରେ ଏପରି ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ଆଣ୍ଡ୍ରେୟା । ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିନୋଦ କାମ୍ବଲିଙ୍କୁ ଗିରଫ କରାଯାଇନଥିବା ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-Asia Cup 2023: ବାହାରିନରେ ବୈଠକରେ ସ୍ପଷ୍ଟ କଲେ ଜୟ ଶାହ, ପାକିସ୍ତାନ ଯିବନି ଟିମ ଇଣ୍ଡିଆ
ପତ୍ନୀ ଆଣ୍ଡ୍ରେୟାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ''ମୋ ସ୍ବାମୀ ବିନୋଦ କାମ୍ବଲି ମଦ୍ୟପାନ କରି ମୋତେ ମାଡ ମାରିବା ସହ ଗାଳି ଗୁଲଜ କରୁଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । '' ଆଜି ସକାଳ ସମୟରେ ଆଣ୍ଡ୍ରେୟା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିବା ବେଳେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଯିବ ।
ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,'' ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ପତ୍ନୀ ଆଣ୍ଡ୍ରେୟା ତାଙ୍କ ବିରୋଧରେ ଥାନାରେ ଏକ ମାମଲା ଦାୟର କରିଛନ୍ତି । ସେ ତାଙ୍କ ପତ୍ନୀଙ୍କୁ ମଦ ପିଇ ମାଡ ମାରିଥିବା ଏତଲାରେ ଉଲ୍ଲେଖ ରହିଛି । ବର୍ତ୍ତମାନ ସୁଦ୍ଧା ବିନୋଦ କାମ୍ବଲିଙ୍କୁ ଗିରଫ କରାଯାଇନାହିଁ। ''
ତେବେ ପୂର୍ବତନ କ୍ରିକେଟରଙ୍କ ନାମରେ ଏହା ପ୍ରଥମ ମାମଲା ନୁହଁ । ଗତ 2022 ଫେବୃଆରୀ ମାସରେ କାମ୍ବଲିଙ୍କ ନାମରେ ଥାନାରେ ମାମଲା ହୋଇଥିଲା । ବିନୋଦ ରହୁଥିବା ସୋସାଇଟିରେ ଏକ ଅଘଟଣକୁ ନେଇ କିଛି ବ୍ୟକ୍ତିଙ୍କୁ ସେ ଗାଳିଗୁଲଜ ସହ ଦୁର୍ବ୍ୟହାର କରିଥିବା ଅଭିଯୋଗ ପରେ ତାଙ୍କ ନାମରେ ବାନ୍ଦ୍ରା ଥାନାରେ ମାମଲା ଦାଏର ହୋଇଥିଲା । ଏପରି ଅଭିଯୋଗ ପର ପୋଲିସ କାମ୍ବଲିଙ୍କୁ ଗିରଫ କରିଥିଲା । କିନ୍ତୁ ମାତ୍ର କିଛି ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଥିଲା ।
ବିନୋଦ ରହୁଥିବା ସୋସାଇଟିର ଗେଟରେ ତାଙ୍କ କାର ଧକ୍କା ହେବା ପରେ କିଛି ବ୍ୟକ୍ତିଙ୍କ ସହ ତାଙ୍କର ବିବାଦ ଦେଖିବାକୁ ମିଳିଥିଲା । ପରେ ସେ ଉତକ୍ଷିପ୍ତ ହୋଇ ଗାଲିଗୁଲଜ କରିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଥାନାରେ ପହଞ୍ଚିଥିଲା । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର କିଛି ସମୟ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।