ଓଡିଶା

odisha

By ETV Bharat Odisha Team

Published : Nov 6, 2023, 3:56 PM IST

ETV Bharat / sports

Cricket World Cup 2023: ବିରାଟଙ୍କ ଜନ୍ମଦିନରେ ସ୍ବତନ୍ତ୍ର ଉପହାର, ସୁନାର ବ୍ୟାଟ୍‌ ଗିଫ୍ଟ କଲା CAB

ବିରାଟଙ୍କ ଜନ୍ମଦିନ ପାଳନ ପାଇଁ ବିଶେଷ ପ୍ରସ୍ତୁତି କରିଥିଲା ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ୍‌ । ଶେଷ ମୁହୂର୍ତ୍ତରେ ଯଦିଓ କିଛି କାର୍ଯ୍ୟକ୍ରମକୁ ବାଦ ଦିଆଯାଇଥିଲା, ହେଲେ କୋହଲିଙ୍କ ଜନ୍ମଦିନକୁ ସ୍ମରଣୀୟ କରିବାକୁ ତାଙ୍କୁ ସୁନାର ଏକ ବ୍ୟାଟ୍‌ ଉପହାର ଦେଇଥିଲେ CAB ଅଧ୍ୟକ୍ଷ ସ୍ନେହାଶିଷ ଗାଙ୍ଗୁଲି । ଅଧିକ ପଢ଼ନ୍ତୁ

CAB gifted a gold plated bat to Virat Kohli
କୋହଲିଙ୍କୁ ସୁନାର ବ୍ୟାଟ୍‌ ଉପହାର ଦେଲା CAB

କୋଲକାତା: ନଭେମ୍ବର ୫ରେ ନିଜର ୩୫ତମ ଜନ୍ମଦିନକୁ ବେଶ ସ୍ମରଣୀୟ କରିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ୪୯ତମ ଦିନିକିଆ ଶତକ ହାସଲ କରି ସେ ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ଜନ୍ମଦିନରେ ଏହି କୀର୍ତ୍ତିମାନ ହାସଲ କରିଥିବାରୁ ଏହା ବିରାଟଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବ । ତେବେ ଏହି ଐତିହାସିକ ଦିନକୁ ଆହୁରି ସ୍ମରଣୀୟ କରିବା ପାଇଁ ଭରପୁର ଚେଷ୍ଟା କରିଥିଲା ବେଙ୍ଗଲ କ୍ରିକେଟ ଆସୋସିଏସନ୍‌ (CAB) । ମ୍ୟାଚ୍‌ ବିଜୟୀ ଐତିହାସିକ ଶତକ ପରେ କୋହଲିଙ୍କୁ ସୁନାରେ ତିଆରି ଏକ ବ୍ୟାଟ୍‌ ଉପହାର ଦେଇଥିଲେ CAB ଅଧ୍ୟକ୍ଷ ସ୍ନେହାଶିଷ ଗାଙ୍ଗୁଲି ।

କ୍ରିକେଟ ଜଗତର ବାଦଶାହ ବିରାଟ କୋହଲିଙ୍କ ଜନ୍ମଦିନରେ କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ଥିବାରୁ ଏହାକୁ ଧୂମଧାମରେ ପାଳନ କରିବା ନେଇ ବେଙ୍ଗଲ କ୍ରିକେଟ ଆସୋସିଏସନ୍‌ (CAB) ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଥିଲା । ହେଲେ ଏଥିରୁ କିଛି କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାଦ ଦିଆଯାଇଥିଲା । କାରଣ ଆତସବାଜି ଏବଂ ୭୦,୦୦୦ ଦର୍ଶକଙ୍କୁ କୋହଲିଙ୍କ ମାସ୍କ ବଣ୍ଟନ ପାଇଁ ପ୍ରଶାସନିକ ଅନୁମତି ମିଳିନଥିଲା । କିନ୍ତୁ କୋହଲିଙ୍କ ୩୫ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ CAB ଆଉ ଏକ ଯୋଜନା କରିଥିଲା । ଉପହାର ସ୍ବରୂପ ତାଙ୍କୁ ଏକ ସୁନାର ବ୍ୟାଟ୍‌ ପ୍ରଦାନ କରାଯାଇଥିଲା । ମ୍ୟାଚ୍‌ ଶେଷ ହେବା ପରେ CAB ଅଧ୍ୟକ୍ଷ ସ୍ନେହାଶିଷ ଗାଙ୍ଗୁଲି କୋହଲିଙ୍କୁ ୨୬ ଲକ୍ଷ ଟଙ୍କାରେ ପ୍ରସ୍ତୁତ ଏହି ଉପହାର ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୪୯ତମ ଦିନିକିଆ ଶତକକୁ ନେଇ ଭାବବିହ୍ବଳ ହେଲେ କୋହଲି, କହିଲେ ସଚିନ୍‌ ମୋ ହିରୋ

ପ୍ରକାଶଯୋଗ୍ୟ, ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ କିଙ୍ଗ୍‌ କୋହଲିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଦିନିକିଆ କ୍ରିକେଟ୍‌ରେ ବିଶ୍ବକପ୍‌ ୨୦୨୩ ପୂର୍ବରୁ ୪୭ଟି ଶତକ ହାସଲ କରିନେଇଥିବା କୋହଲି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪୮ତମ ଶତକ ହାସଲ କରିଥିଲେ । ଏହାପରେ ୪୯ତମ ଶତକ ପାଇଁ ତାଙ୍କୁ ୩ଟି ମ୍ୟାଚ୍‌ ଅପେକ୍ଷା କରିବାକୁ ପଡ଼ିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ ଓ ଶ୍ରୀଲଙ୍କା ବିପକ୍ଷରେ ୮୮ ରନ୍ କରି ଆଉଟ୍ ହୋଇଥିଲେ ବିରାଟ କୋହଲି । ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୯ତମ ଶତକ ହାସଲ କରି ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି ।

ତେବେ ସଚିନଙ୍କ ଠାରୁ ୧୭୫ ପାଳି କମ ଖେଳି ୪୯ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ସଚିନଙ୍କୁ ୪୯ତମ ଦିନିକିଆ ଶତକ ହାସଲ କରିବାକୁ ୪୬୨ ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା । ହେଲେ କେବଳ ୨୮୯ତମ ପାଳିରେ ଏହି ରେକର୍ଡର ସମକକ୍ଷ ହୋଇପାରିଛନ୍ତି କିଙ୍ଗ୍‌ କୋହଲି । ଏହି ସଫଳତା ପରେ ନିଜେ ତେନ୍ଦୁଲକର ଏକ୍ସରେ ବିରାଟଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶୀଘ୍ର ଏହି ରେକର୍ଡ ଭାଙ୍ଗି ଆଗକୁ ବଢ଼ିବାକୁ ଶୁଭେଚ୍ଛା ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details