ହାଇଦ୍ରାବାଦ: ଆଇପିଏଲ ୨୦୨୩ ଜାରି ରହିଥିବା ବେଳେ ଏହାରି ମଧ୍ୟରେ ଭାରତୀୟ କ୍ରିକେଟ ଫ୍ୟାନ୍ସ ମାନଙ୍କୁ ଏକ ଖୁସି ଖବର ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ଟ୍ବିଟ କରି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ଓ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଅପଡେଟ ଦେଇଛି ବିସିସିଆଇ । ବିସିସିଆଇ ଦେଇଥିବା ସୂଚନା ଅନୁସାରେ ବୁମରାଙ୍କର ପିଠିରେ ହୋଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି । ଏବେ ସେ ସୁସ୍ଥ ରହିଛନ୍ତି ବବୋଲି ସୂଚନା ଦେଇଛି ବିସିସିଆଇ । ଏହା ସହିତ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କର ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର ହେବ ବୋଲି ମଧ୍ୟ ବୋର୍ଡ ସୂଚନା ଦେଇଛି ।
ଦିନିକିଆ ବିଶ୍ବକପ ଖେଳିବେ ବୁମରା !: ବିସିସିଆଇ ଦେଇଥିବା ସୂଚନା ଅନୁସାରେ ଯଶପ୍ରୀତ ବୁମରାଙ୍କର ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି । ଏହାପରେ ସେ ସୁସ୍ଥ ଅଛନ୍ତି ଏବଂ ପୂର୍ବ ଅପେକ୍ଷା ଅଧିକ ଭଲ ଅନୁଭବ କରୁଛନ୍ତି । ଏପରିକି ବୁମରା ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ (NCA)ରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ନିଜର ତାଲିମ ମଧ୍ୟ ଆରମ୍ଭ କରିଛନ୍ତି । ଏହାକୁ ଦେଖିଲେ, ଚଳିତ ବର୍ଷ ଅକ୍ଟୋବର- ନଭେମ୍ବର ମଧ୍ୟରେ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ ପୂର୍ବରୁ ବୁମରା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଲୟକୁ ଫେରି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ଏକ ବିବୃତି ଜାରି କରି ବିସିସିଆଇ କହିଛି, "ନ୍ୟୁଜିଲାଣ୍ଡରେ ଯଶପ୍ରୀତ ବୁମରାଙ୍କର ହୋଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି । ତାଙ୍କୁ ଏବେ କୌଣସି କଷ୍ଟ ମଧ୍ୟ ଅନୁଭବ ହେଉନାହିଁ । ଅସ୍ତ୍ରୋପଚାର କରିଥିବା ବିଶେଷଜ୍ଞ ବୁମରାଙ୍କୁ ୬ ସପ୍ତାହ ପରେ ତାଲିମ ଆରମ୍ଭ କରିବାକୁ କହିଥିଲେ । ଏନେଇ ୬ ସପ୍ତାହ ପରେ ବୁମରା NCAରେ ନିଜର ତାଲିମ ଆରମ୍ଭ କରିଛନ୍ତି ।