ଭୋପାଳ: ଇନ୍ଦୋରରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଦିନରେ କଙ୍ଗାରୁ ଦଳର ବୋଲରଙ୍କ ସାମ୍ନା କରିବାରେ ବିଫଳ ହୋଇଛନ୍ତି ଭାରତୀୟ ବ୍ୟାଟର । ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ମାତ୍ର 109ରନ ଭାରତ ଅଲଆଉଟ ହୋଇଛି । ଜବରଦସ୍ତ କମବ୍ୟାକ କରିଛନ୍ତି କଙ୍ଗାରୁ ଦଳ । ସ୍ମିଥଙ୍କ ନେତୃତ୍ବରେ ଭାରତୀୟ ବ୍ୟାଟରଙ୍କୁ ରୋକିବାରେ ସଫଳ ହୋଇଛନ୍ତି ଅଷ୍ଟ୍ରେଲିଆ ବୋଲର ।
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ରୋହିତ ଶର୍ମା ଓ ଶୁଭମନ ଗିଲ ପାଳି ଆରମ୍ଭ କରିଥିଲେ । ଉଭୟ ଭଲ ଆରମ୍ଭ କରିଥିଲେ ମାତ୍ର ବେଶି ସମୟ ଯାଏ କ୍ରିଜରେ ତିଷ୍ଠି ପାରି ନଥିଲେ । ମାଥ୍ୟୁ କୁନେମାନ ରୋହିତ ଶର୍ମାଙ୍କୁ ପ୍ରଥମ ଶିକାର କରିଥିଲେ । ମାତ୍ର 12 ରନ କରି ସଅଳ ପାଭିଲିୟନ ଫେରିଥିଲେ ରୋହିତ । ଏହା ପରେ ଶୁଭମନ ଗିଲ 21 ରନ କରି ମାଥ୍ୟୁ କୁନେମାନଙ୍କ ଶିକାର ହୋଇଥିଲେ । ପରେ ଚେତେଶ୍ବର ପୂଜାରା 1 ରନ କରି ନାଥନଙ୍କ ଶିକାର ହୋଇଥିଲେ । ମାଥ୍ୟୁ କୁନେମାନଙ୍କୁ ଆଉ ଏକ ସଫଳତା ମିଳିଥିଲା । ରବିନ୍ଦ୍ର ଜାଡେଜାଙ୍କୁ (4) ପାଭିଲିୟନ ପଠାଇଥିଲେ । ଶ୍ରେୟାସ ଆୟର ଖାତା ଖୋଲି ନପାରି ମାଥ୍ୟୁ କୁନେମାନଙ୍କୁ ବଲରେ ଆଉଟ ହୋଇଥିଲେ । ଦଳୀୟ ସ୍କୋର ମାତ୍ର 45ରେ ଭାରତର ଅଧା ଖେଳାଳି ଡ୍ରେସିଂ ରୁମକୁ ଫେରିଥିଲେ ।