ନୂଆଦିଲ୍ଲୀ:ଟି-୨୦ ଓ ଦିନିକିଆ ପରେ ଟେଷ୍ଟ ଅଧିନାୟକ ପଦରୁ ମଧ୍ୟ ଓହରି ଯାଇଛନ୍ତି ବିରାଟ କୋହଲି । କୋହଲିଙ୍କ ଅଚାନକ ଟେଷ୍ଟ କ୍ରିକେଟ ଅଧିନାୟକ ପଦରୁ ଇସ୍ତଫା ଘୋଷଣାକୁ କେହି ସହଜରେ ଗ୍ରହଣ କରି ପାରି ନାହାନ୍ତି । ପୂର୍ବତନ କ୍ରିକେଟରଙ୍କଠାରୁ ଆରମ୍ଭ କରି କ୍ରିକେଟ ସମୀକ୍ଷକଙ୍କୁ କୋହଲିଙ୍କ ନିଷ୍ପତ୍ତି ଚକିତ କରିଛି । ଏଥିରେ ବଲିଉଡ ମଧ୍ୟ ସାମିଲ ରହିଛି । ଟେଷ୍ଟ ଅଧିନାୟକ ପଦରୁ ଓହରିବା ପରେ ବହୁ ବଲିଉଡ କଳାକାର କୋହଲିଙ୍କ ଟେଷ୍ଟ ସଫଳତା ପାଇଁ ପ୍ରଶଂସା କରିଛନ୍ତି ।
ଏହା ବି ପଢ଼ନ୍ତୁଟେଷ୍ଟ କ୍ୟାପଟେନ ପଦ ଛାଡିଲେ କୋହଲି
କୋହଲିଙ୍କୁ ନେଇ ରଣବୀର ସିଂହ ନିଜ ଇନ୍ଷ୍ଟାଗ୍ରାମ ପେଜ୍ରେ ଲେଖିଛନ୍ତି ଯେ, "ରାଜା ସବୁବେଳେ ରାଜା ରହିବ ।" ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ, ବରୁଣ ଧାୱନ, ଅର୍ଜୁନ କପୁର, ନେହା ଧୁପିଆ, ଅଙ୍ଗଦ ବେଦୀ, ଅଥିଆ ସେଟ୍ଟୀ ବାଣୀ କପୁର ପ୍ରମୁଖ ରଣବୀର ସିଂହଙ୍କ ଏହି ପୋଷ୍ଟକୁ ଲାଇକ କରି ବିରାଟ କୋହଲିଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି ।
ସେପଟେ ଟେଲିଭିଜନ ଜଗତର ଜଣାଶୁଣା ଅଭନେତା ନକୁଳ ମେହତା ବି କୋହିଲିଙ୍କ ପାଇଁ ଲେଖିଛନ୍ତି ଯେ, "ଟେଷ୍ଟ କ୍ରିକେଟର ଭାରତ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ସେଥିପାଇଁ ଆପଣଙ୍କ ଯୋଗଦାନ ପାଇଁ ଧନ୍ୟବାଦ ।"ଗତ ଶନିବାର ଟେଷ୍ଟ କ୍ରିକେଟ ଅଧିନାୟକ ପଦରୁ ଇସ୍ତଫା ନେଇ ଘୋଷଣା କରିଥିଲେ ବିରାଟ କୋହଲି । ସେ ଲେଖିଥିଲେ ଯେ, "ଟିମକୁ ସଠିକ୍ ଦିଗରେ ନେବାକୁ ଦୀର୍ଘ ୭ ବର୍ଷ ମୁଁ କଠିନ ପରିଶ୍ରମ କରିଛି । ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ଦାୟିତ୍ବ ତୁଲାଇଛି । ସବୁ ଜିନିଷର ଶେଷ କେବେ ନା କେବେ ହୋଇଥାଏ, ଭାରତୀୟ ଟିମର ଟେଷ୍ଟ କ୍ୟାପଟେନ ପଦ ଛାଡିବା ସମୟ ଆସିଯାଇଛି । ଯାତ୍ରାରେ ଅନେକ ବାଧାବିଘ୍ନ ଆସିଛି, ମାତ୍ର କୌଣସି ସ୍ଥିତିରେ ବିଶ୍ବାସ କମ୍ ହୋଇନାହିଁ । ମୁଁ ସର୍ବଦା ସବୁ ଜିନିଷରେ ୧୨୦ ପ୍ରତିଶତ ଦେବାକୁ ବିଶ୍ବାସ କରେ । ଯଦି ମୁଁ ଏପରି କରିନଥାନ୍ତି, ତେବେ ଏହା ଠିକ୍ ହୋଇନଥାନ୍ତା ବୋଲି ଅନୁଭବ ହୋଇଥାନ୍ତା । ମୋ ହୃଦୟରେ ପୂର୍ଣ୍ଣ ସ୍ପଷ୍ଟତା ରହିଛି, ମୁଁ ନିଜର ଟିମ ପାଇଁ ବେଇମାନ ହୋଇପାରିବିନି ।"
ଏହା ବି ପଢ଼ନ୍ତୁବିରାଟ କୋହଲି ଭାରତର ସଫଳତମ ଟେଷ୍ଟ ଅଧିନାୟକ
ଏହାପୂର୍ବରୁ କୋହଲି ଟି-୨୦ ଦଳର ଅଧନାୟକ ପଦରୁ ଓହରି ଯାଇଥିବା ବେଳେ, ଦିନିକିଆ ଅଧିନାୟକ ପଦରୁ ତାଙ୍କୁ ବିସିସିଆଇ ହଟାଇ ଦେଇଥିଲା । ଏହାକୁ ନେଇ ଅନେକ ବାକ୍ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜରେ ପରାଜୟ ପରେ ଏଭଳି ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି କୋହଲି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ