ଗୌହାଟୀ: ବିଶ୍ବକପ୍ ୨୦୨୩ ପରେ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଟି୨୦ ଶୃଙ୍ଖଳା ଅଧାରୁ ବଡ଼ ପରିବର୍ତ୍ତନ କରିଛି ଅଷ୍ଟ୍ରେଲିଆ । ଏହି ଶୃଙ୍ଖଳାରେ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ ସରିଥିବାବେଳେ ଏହି ଦୁଇଟି ଯାକ ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ରହିଛି । ମଙ୍ଗଳବାର ୩ୟ ବିଜୟ ସହ ସିରିଜ୍ କବ୍ଜା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଅନ୍ୟପଟେ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଅଷ୍ଟ୍ରେଲିଆ ପାଇଁ ଏହା କର ବା ମର ପରିସ୍ଥିତି । ଏଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଦଳରେ ପରିବର୍ତ୍ତନ ପାଇଁ ବଡ଼ ନିଷ୍ପତ୍ତି ନେଇଛି କ୍ରିକେଟ୍ ଅଷ୍ଟ୍ରେଲିଆ ।
ମଙ୍ଗଳବାର ଅର୍ଥାତ ଆଜି ଗୌହାଟୀରେ ଖେଳାଯିବ ୩ୟ ଟି୨୦ ମ୍ୟାଚ୍ । ହେଲେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଦଳର ଅଭିଜ୍ଞ ବ୍ୟାଟର ଷ୍ଟିଭ୍ ସ୍ମିଥ୍ ଓ ସ୍ପିନର ଆଡାମ ଜାମ୍ପା ସ୍ବଦେଶ ଫେରିଯାଇଛନ୍ତି । ଏନେଇ ଅଷ୍ଟ୍ରେଲିଆର କ୍ରିକେଟ୍ ଖବର ପ୍ରସାରଣ କରୁଥିବା ଏକ ସଂସ୍ଥା ସୂଚନା ଦେଇଛି । ଏପରିକି ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଜୋଶ ଇଂଲିଶ୍ ଓ ସେନ ଆବଟ୍ ମଙ୍ଗଳବାର ୩ୟ ଟି୨୦ ମ୍ୟାଚ୍ ପରେ ବୁଧବାର ଘରକୁ ଫେରିବେ । ଦିନିକିଆ ବିଶ୍ବକପ୍ ଖେଳିଥିବା ଏହି ଖେଳାଳିମାନେ ୨ ମାସ ହେବ ଭାରତରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳି ବିଶ୍ବକପ୍ ପୂର୍ବରୁ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ମଧ୍ୟ ଖେଳିଥିଲେ । ତେଣୁ ସେମାନଙ୍କ ୱାର୍କ୍ଲୋଡ୍ ମ୍ୟାନେଜମେଣ୍ଟକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ... ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ବେଣ୍ଟି, ସିରିଜ କବଜା ଲକ୍ଷ୍ୟରେ ସୂର୍ଯ୍ୟ ସେନା