ହାଇଦ୍ରାବାଦ:ବ୍ୟାଟ୍ସମ୍ୟାନରୁ ବିଧାୟକ ବନିଲେ ଭାରତୀୟ କ୍ରିକେଟର ମନୋଜ ତିୱାରୀ । ପ୍ରତ୍ୟକ୍ଷ ରାଜନୀତିର ପ୍ରଥମ ପରୀକ୍ଷାରେ ପାସ୍ ହୋଇଛନ୍ତି ପୂର୍ବତନ ବେଙ୍ଗଲ କ୍ୟାପଟେନ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ ଟିକେଟରୁ ଶିବପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ମନୋଜ । ରାଜନୈତିକ ଡେବ୍ୟୁ ଇଂନିସରେ ଛକା ମାରିବା ସହ ଶିବପୁର ଆସନରୁ ନିକଟତମ ବିଜେପି ପ୍ରାର୍ଥୀ ରଥିନ ଚକ୍ରବର୍ତ୍ତୀଙ୍କ ଠାରୁ 32,339 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ମନୋଜ ।
ବିଜୟ ପରେ ଟ୍ବିଟ ଯୋଗେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ବିଜୟ ଶିବପୁରର ପ୍ରତ୍ୟେକ ନାଗରିକଙ୍କର ବୋଲି କହିଛନ୍ତି ମନୋଜ । ମାତ୍ର ଏହା ଉତ୍ସବ ମନାଇବାର ଉପଯୁକ୍ତ ସମୟ ନୁହେଁ, କୋଭିଡ ମହାମାରୀ ଉପରେ ବେଙ୍ଗଲର ବିଜୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି । ଏଥିସହ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ।