ହାଇଦ୍ରାବାଦ:ଭେଟେରାନ ବୋଲର ଝୁଲଣ ଗୋସ୍ବାମୀ ( Jhulan Goswami ) ଆଜି ଲର୍ଡସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ । ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ହେବ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ । କ୍ରିକେଟରୁ ସବୁ ଫର୍ମାଟରୁ ଅବସରର ନେବା ନେଇ ଝୁଲଣ ଗୋସ୍ବାମୀ ଭାବପ୍ରବଣ ହେବା ନଜର ଆସିଛନ୍ତି । ତାଙ୍କ କ୍ରିକେଟର ଲମ୍ବା ଯାତ୍ରାକୁ ଏହି ଅବସରରେ ମନେ ପକାଇଛନ୍ତି । ଏହା ସହିତ ସେ କହିଛନ୍ତି ବିଶ୍ବକପ ଟାଇଟଲ ହାସଲ କରିବା ତାଙ୍କର ଅଧୁରା ସ୍ବପ୍ନ ହୋଇରହିଗଲା ।
ଭାରତୀୟ ମହିଳା କ୍ରିକେଟ ଦଳ ବର୍ଷ ୨୦୦୫ ଏବଂ ବର୍ଷ ୨୦୧୭ରେ ବିଶ୍ବକପ ସଂସ୍କରଣରେ ଫାଇନାଲରେ ପ୍ରବେଶ କରିଥିଲା । ହେଲେ ଫାଇନାଲରେ ପ୍ରବେଶ କରିବା ସତ୍ତ୍ବେ ମଧ୍ୟ ବିଶ୍ବକପ ଟାଇଟଲ ହାତେଇବାରେ ସଫଳ ହୋଇପାରିନଥିଲା । ଏନେଇ ଝୁଲଣ ଗୋସ୍ବାମୀ କହିଛନ୍ତି, ‘‘ମୁଁ ଦୁଇଟି ବିଶ୍ବକପ ଫାଇନାଲ ମ୍ୟାଚ ଖେଳିଛି । ଯଦି ଆମେ ଗୋଟିଏ ବିଶ୍ବକପ ଜିତି ଯାଇଥାନ୍ତୁ ତାହାଲେ ମୋ ପାଇଁ ଏବଂ ଟିମ ପାଇଁ ଏହା ବହୁତ ଭଲ ହୋଇଥାନ୍ତା । ସବୁ କ୍ରିକେଟର ସେହି ଗୋଟିଏ ଲକ୍ଷ୍ୟ ନେଇ ନିଜର ପ୍ରଦର୍ଶନ ଜାରି କରଥାଏ । ମୁଁ ଦୁଇଟି ବିଶ୍ବକପରେ ଫାଇନାଲ ମ୍ୟାଚ ଖେଳିଥିବା ସତ୍ତ୍ବେ କୌଣସି ମ୍ୟାଚରେ ଟାଇଟଲ ହାତେଇ ପାରିନାହିଁ । ବିଶ୍ବକପ ହାତେଇବା ମୋ ପାଇଁ ଅବଶୋଷ ରହିଗଲା ।’’