ମୁମ୍ବାଇ:ଆଇପିଏଲ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟକୁ ପୁଣି ଫେରିପାରନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ ଏ ବି ଡିଭିଲିୟର୍ସ । ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିସାରିଥିବା ଡିଭିଲିୟର୍ସ, ଅବସରରୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚର୍ଚ୍ଚାର ଆଧାର ହେଉଛି ଡିଭିଲିୟର୍ସଙ୍କ ଆଇପିଏଲ ଫର୍ମ । ଆଇପିଏଲ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପକ୍ଷରୁ ଖେଳୁଥିବା ଡିଭିଲିୟର୍ସ ଦମଦାର ଫର୍ମରେ ରହିଛନ୍ତି । ଚଳିତ ଆଇପିଏଲରେ ଆରସିବି ଖେଳିଥିବା 3ଟି ମ୍ୟାଚରେ ଅପରାଜେୟ ରହିଛି । ଏହି 3ଟି ମ୍ୟାଚରୁ ଡିଭିଲିୟର୍ସ ଏକାକୀ ଦୁଇଟି ମ୍ୟାଚରେ ଦଳ ପାଇଁ ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି । ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ଓପନିଂ ମ୍ୟାଚରେ 27 ବଲ୍ରୁ 48 ଓ ରବିବାର କେକେଆର ବିପକ୍ଷରେ 34 ବଲ୍ରୁ ଧୁଆଁଦାର 76 ରନର ଇଂନିସ ଖେଳିଥିଲେ ।
ଫଳରେ ଡିଭିଲିୟର୍ସଙ୍କ ଏହି ଫର୍ମକୁ ଦେଖି ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ତଥା ଦକ୍ଷିଣ ଆଫ୍ରିକା ମୁଖ୍ୟ କୋଚ ମାର୍କ ବାଉଚର, ଅବସରରୁ ଫେରି ପୁନର୍ବାର ଦକ୍ଷିଣ ଆଫ୍ରିକା ପକ୍ଷରୁ ଚଳିତ ବର୍ଷ ଖେଳାଯିବାକୁ ଥିବା ଟି20 ବିଶ୍ବକପ ଖେଳିବାକୁ ଅପିଲ କରିଛନ୍ତି ।
ଏହାର ଜବାବରେ ନିଜେ ଡିଭିଲିୟର୍ସ ମଧ୍ୟ ଜାତୀୟ ଦଳକୁ ଫେରିବାକୁ ଇଚ୍ଛୁକ ଥିବା ସଙ୍କେତ ଦେଇଛନ୍ତି । ଆଇପିଏଲ ଶେଷ ପରେ ବାଉଚରଙ୍କ ସହ ପୁନର୍ବାର ଜାତୀୟ ଦଳରେ ଖେଳିବା ନେଇ ଆଲୋଚନା ହେବ ବୋଲି କହିଛନ୍ତି ଡିଭିଲିୟର୍ସ ।