ମୁମ୍ବାଇ: ଟି-୨୦ ବିଶ୍ବକପ ପାଇଁ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ସମସ୍ତ ଦେଶ ନିଜର ଦଳ ଘୋଷଣା କରିବାକୁ ସମୟ ସୀମା ଧାର୍ଯ୍ୟ କରିଛି ଅନ୍ତର୍ଜାତୀୟ କ୍ରିକେଟ କମିଟି ବା ICC । ଭାରତରେ କୋରୋନା ସଂକ୍ରମଣ ଯୋଗୁଁ ଦୁବାଇରେ ଟି-୨୦ ବିଶ୍ବକପ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ICC । ତେବେ ସେପ୍ଟେମ୍ବର ୭ ତାରିଖରେ ବିସିସିଆଇ ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିବା ନେଇ ସୂଚନା ମିଳିଛି ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଶେଷ ହେବାପରେ ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ସ୍କ୍ବାଡ ଘୋଷଣା ହେବ । ଏହାକୁ ନେଇ ଜଣେ ବିସିସିଆଇ ଅଧିକାରୀ ନିଜ ନାମ ଗୋପନ କରି ସୂଚନା ଦେଇଛନ୍ତି । IPL ୨୦୨୧ ଶେଷ ହେବାପରେ ଭାରତୀୟ ଦଳ ଘୋଷଣା କରାଯିବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ICCର ଗାଇଡଲାଇନ ଯୋଗୁଁ ଆଇପିଏଲର ଅବଶିଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଦଳ ଘୋଷଣା କରାଯିବ ।
ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ସ୍କ୍ବାଡରେ ପୃଥ୍ବୀ ଶ', ଇଶାନ କିଷନ ଓ ରାହୁଲ ଚହରଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବରେ ରହି ପାରନ୍ତି । ସେପଟେ ସୂର୍ଯ୍ୟ କୁମାର ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ଶ୍ରେୟସ ଆୟର ଟି-୨୦ ବିଶ୍ବକପ ପାଇଁ ଦଳରେ ସ୍ଥାନ ପାଇ ପାରନ୍ତି ବୋଲି ଆଲୋଚନା ହେଉଛି ।