ଓଡିଶା

odisha

ETV Bharat / sports

BCCIର ବଡ଼ ନିଷ୍ପତ୍ତି, ଏଣିକି ଜାତୀୟ ଦଳ ଖେଳାଳିଙ୍କ ଲାଗି ରଣଜୀ ବାଧ୍ୟତାମୂଳକ ! - BCCI Rule for Cricketers

BCCI New Rule: ଭାରତୀୟ କ୍ରିକେଟ୍‌ ଦଳର ଜାତୀୟ ଖେଳାଳିଙ୍କ ପାଇଁ ପୁଣିଥରେ ବାଧ୍ୟତାମୂଳକ ହେବ ରଣଜୀ ଟ୍ରଫି । ଖୁବଶୀଘ୍ର ବଡ଼ ଘୋଷଣା କରିବ ବିସିସିଆଇ । ଅଧିକ ପଢ଼ନ୍ତୁ

ଜାତୀୟ ଦଳ ଖେଳାଳିଙ୍କ ଲାଗି ରଣଜୀ ବାଧ୍ୟତାମୂଳକ !
ଜାତୀୟ ଦଳ ଖେଳାଳିଙ୍କ ଲାଗି ରଣଜୀ ବାଧ୍ୟତାମୂଳକ !

By ETV Bharat Odisha Team

Published : Jan 10, 2024, 5:15 PM IST

Updated : Jan 10, 2024, 5:35 PM IST

କୋଲକାତା: ଏକଦା ଭାରତୀୟ କ୍ରିକେଟରଙ୍କ ପାଇଁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ବାଧ୍ୟତାମୂଳକ ଥିଲା । ହେଲେ ଏବେ ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ଖେଳାଳିମାନେ ଦୂରେଇ ବିଶ୍ରାମ ନେଇଯାଉଛନ୍ତି । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଏହାପ୍ରତି ବିଶେଷ ଦୃଷ୍ଟି ଦେଇ ପାରୁନାହିଁ । ହେଲେ ଏବେ ରଣଜୀ ଟ୍ରଫିକୁ ମିଳିବ ପୂର୍ବ ଭଳି ଗୁରୁତ୍ବ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ ଜାତୀୟ ଦଳ କମିଟି ଖୁବଶୀଘ୍ର ଖେଳାଳିଙ୍କ ପାଇଁ ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ବାଧ୍ୟତାମୂଳକ କରିବାକୁ ଯାଉଥିବା ସୂତ୍ରରୁ ପ୍ରକାଶ ପାଇଛି ।

ଏହି ପ୍ରସଙ୍ଗରେ ଇଟିଭି ଭାରତ ସହ ବାର୍ତ୍ତାଳାପ ସମୟରେ ସୂଚନା ଦେଇଛନ୍ତି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ । ସେ କହିଛନ୍ତି, "ହଁ, ଜାତୀୟ ଦଳର ଖେଳାଳିମାନଙ୍କୁ ରଣଜୀ ଖେଳିବାକୁ ହେବ । ଯଦି ଏହି ଖେଳାଳିଙ୍କ ପାଖରେ ଜାତୀୟ ଦଳ ସହିତ ସମ୍ବନ୍ଧିତ କୌଣସି କାର୍ଯ୍ୟ ନଥିବ ଏବଂ ଏମାନେ ବିନା କୌଣସି କାରଣରେ କୌଣସି ଘରୋଇ ମ୍ୟାଚ୍‌କୁ ହାତଛଡ଼ା କରୁଛନ୍ତି, ତେବେ ସେମାନଙ୍କୁ ଭାରତୀୟ ଜାତୀୟ ଦଳରେ ଚୟନ ପାଇଁ ବିଚାରକୁ ନିଆଯିବ ନାହିଁ ।" ପ୍ରକାଶ ଥାଉକି, ଏଭଳି ସ୍ଥିତି ସେତେବେଳେ ଆସିଛି, ଯେତେବେଳେ ଈଶାନ କିଷାନ ଓ ଶ୍ରେୟସ ଆୟରଙ୍କ ଭଳି ଖେଳାଳି ରଣଜୀ ଟ୍ରଫିରୁ ନିଜକୁ ଦୂରେଇ ରଖିଛନ୍ତି । ଏହା ବିସିସିଆଇ ଓ ଚୟନକର୍ତ୍ତାଙ୍କୁ ପସନ୍ଦ ନଆସିବାରୁ ଏମାନଙ୍କୁ ଆଫଗାନିସ୍ତାନ ବିପକ୍ଷ 3 ମ୍ୟାଚ୍‌ ବିଶିଷ୍ଟ ଟି20 ସିରଜ୍‌ରୁ ବାଦ ଦିଆଯାଇଥିବା କୁହାଯାଇଛି । ଏହି ସିରିଜ୍‌ରୁ ଈଶାନ କିଷାନଙ୍କୁ ବାହାର କରାଯାଇ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରେ ସ୍ଥାନ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଟିମ୍‌ ଇଣ୍ଡିଆର ନୂଆ ଅଫିସିଆଲ୍‌ ପାର୍ଟନର ଘୋଷଣା କଲା BCCI

ଏହି ପ୍ରସଙ୍ଗରେ ଅଧିକ ଆଲୋଚନା କରି ଅଧିକାରୀ ଜଣକ କହିଛନ୍ତି, "ଆମେ କିଛି ଖେଳାଳିଙ୍କୁ ଏନେଇ ଚେତାବନୀ ଦେଇଛୁ । ସେମାନଙ୍କୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଆଗାମୀ ସମୟରେ ଜାତୀୟ ଦଳରେ ଚୟନ ହେବାକୁ ହେଲେ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ବାଧ୍ୟତାମୂଳକ । ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ଓ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭଳି ଖେଳାଳି ମଧ୍ୟ ଜାତୀୟ ଦଳର କାର୍ଯ୍ୟ ନିର୍ବାହ କରିବା ପରେ ନିୟମିତ ଭାବେ ଘରୋଇ କ୍ରିକେଟ ଖେଳୁଥିଲେ । ଆଗାମୀ ପୀଢ଼ିଙ୍କୁ ମଧ୍ୟ ଏଭଳି କରିବାକୁ ହେବ ଓ ଘରୋଇ କ୍ରିକେଟ୍‌ରେ ଭାଗ ନେବାକୁ ପଡ଼ିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 10, 2024, 5:35 PM IST

ABOUT THE AUTHOR

...view details