ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳର ମିଶନ ୨୦୨୩ ଆରମ୍ଭ ହେବା ପୂର୍ବରୁ ବିସିସିଆଇର (Board of Control for Cricket in India) ସମୀକ୍ଷା ବୈଠକ । ରବିବାର ମୁମ୍ବାଇରେ ଅନୁଷ୍ଠିତ ଏହି ବୈଠକରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନିଙ୍କ ସମେତ ସମ୍ପାଦକ ଜୟ ଶାହା, ଅଧିନାୟକ ରୋହିତ ଶର୍ମା, ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ଭିଭିଏସ ଲକ୍ଷ୍ମଣ ଓ ଚୟନ କମିଟି ମୁଖ୍ୟ ଚେତନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ଗତ ୨୦୨୨ ଟି୨୦ ବିଶ୍ବକପରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ସେହି ବର୍ଷ ଖେଳାଯାଇଥିବା ଏସିଆ କପ୍ରେ ମଧ୍ୟ ଭାରତୀୟ ଦଳର ଦଳଗତ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଏହାପରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ରୋହିତ ବାହିନୀ । ଏହି ସବୁ ଦୃଷ୍ଟିରୁ ସମୀକ୍ଷା କରିଛନ୍ତି BCCI ଅଧିକାରୀ । ତେବେ ଚଳିତ ବର୍ଷ ପାଇଁ ଖେଳାଳିଙ୍କ ଉପସ୍ଥିତି, କାର୍ଯ୍ୟଭାର ଓ ଫିଟ୍ନେସକୁ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି ।