କଟକ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ପାଇଁ ବହୁ ପୂର୍ବରୁ କ୍ରୀଡ଼ାସୂଚୀ ଘୋଷଣା କରିଛି BCCI । ହେଲେ ଓଡ଼ିଶାରେ ବାରବାଟୀ ଷ୍ଟାଡିୟମକୁ ଏଥିରେ ଗୋଟିଏ ବି ମ୍ୟାଚ୍ ନମିଳିବା ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କୁ ହତାଶ କରିଥିଲା । ଏହାପରେ ବିଶ୍ବକପ ମ୍ୟାଚ୍ ମିଳିନଥିବା ଭେନ୍ୟୁଗୁଡ଼ିକୁ ୨୦୨୩-୨୪ ଘରୋଇ ସୂଚୀରେ ସାମିଲ କରାଯିବ ବୋଲି ଘୋଷଣା କରିଥିଲା BCCI । ହେଲେ ଏଥିରେ ମଧ୍ୟ ବାରବାଟୀର ନାଁ ନାହିଁ । ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଲଗାତର ମ୍ୟାଚ୍ ମିଳୁଥିବା ବେଳେ ଓଡ଼ିଶାକୁ ବାରମ୍ବାର ବଞ୍ଚିତ କରୁଛି BCCI ।
ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳା ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)କୁ ପ୍ରସ୍ତାବ ଦେଇଥିଲା BCCI । ହେଲେ ସେତେବେଳେକୁ ଓସିଏ ପ୍ରସ୍ତୁତ ହୋଇପାରବନି ବୋଲି କହିବାରୁ ଏହି ମ୍ୟାଚ୍ ଅନ୍ୟ ରାଜ୍ୟକୁ ଚାଲି ଯାଇଥିଲା । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, "ବାରବାଟୀରେ ଟି୨୦ କିମ୍ବା ଦିନିକିଆ ମ୍ୟାଚ୍ ଆୟୋଜନ ଅପେକ୍ଷା ଏଠାକୁ ଟେଷ୍ଟ ମାନ୍ୟତା ଫେରାଇ ଆଣିବାକୁ ଓସିଏ ଲକ୍ଷ୍ୟ ରଖିଛି । ତେଣୁ BCCI ପକ୍ଷରୁ ଯେତେବେଳେ ଆଫଗାନିସ୍ତାନ ବିପକ୍ଷ ଟି୨୦ ମ୍ୟାଚ୍ ପାଇଁ ପ୍ରସ୍ତାବ ଦିଆଯାଇଥିଲା, ସେତେବେଳେ ଆମେ ତାହାକୁ ଏଡ଼ାଇ ଦେଇଥିଲୁ । ବର୍ତ୍ତମାନ ବାରବାଟୀରେ ଟେଷ୍ଟ୍ ମ୍ୟାଚ୍ ଖେଳାଯିବା ପାଇଁ ବିଶ୍ବ ସ୍ତରୀୟ ପିଚ୍ ପ୍ରସ୍ତୁତ ହେଉଛି । ନୂଆ ପିଚ୍ରେ ପ୍ରଥମେ କିଛି ଘରୋଇ ମ୍ୟାଚ୍ ଖେଳାଯିବ । ଏହାପରେ ଆଇସିସିର ପ୍ରତିନିଧି ବାରବାଟୀ ପିଚ୍ ଯାଞ୍ଚ କରିବା ପରେ ଏହାକୁ ଟେଷ୍ଟ ମାନ୍ୟତା ମିଳିପାରିବ ।" ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପରେ କୌଣସି ଏକ ଟେଷ୍ଟ ମ୍ୟାଚ୍ ବାରବାଟୀକୁ ମିଳିପାରେ ବୋଲି BCCI ସମ୍ପାଦକ ଜୟ ଶାହ ଓସିଏକୁ ପ୍ରତିଶ୍ରୁତି ଦେଇଥିବା ସେ ସୂଚନା ଦେଇଛନ୍ତି ।