ମୁମ୍ବାଇ: ବହୁ ମାନସମନ୍ଥନ ପରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳା ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ୩ ମ୍ଯାଚ୍ ବିଶିଷ୍ଟ ଏହି ଶୃଙ୍ଖଳା ପାଇଁ ଟି୨୦ ଦଳକୁ ଫେରିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି । ଭାରତୀୟ ଟି୨୦ ଦଳର ନେତୃତ୍ବ ପୁଣିଥରେ ରୋହିତ ଶର୍ମାଙ୍କ ହାତକୁ ଆସିଛି । ଏହି ଦଳରେ କିଛି ବରିଷ୍ଠ ଖେଳାଳିଙ୍କୁ ସ୍ଥାନ ମିଳିନଥିବା ବେଳେ ଅନେକ ଯୁବ କ୍ରିକେଟରଙ୍କୁ ମିଳିଛି ସୁଯୋଗ । ସ୍ପିଡ୍ଷ୍ଟାର ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କ ସମେତ ରବୀନ୍ଦ୍ର ଜାଡେଜା, କେଏଲ୍ ରାହୁଲ ଓ ଶ୍ରେୟସ ଆୟରଙ୍କ ଭଳି ଖେଳାଳିଙ୍କୁ ଏହି ଟି୨୦ ଦଳରେ ସ୍ଥାନ ମିଳିନାହିଁ । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପଣ୍ଡ୍ୟାଙ୍କ ଭଳି ଟି୨୦ ସ୍ପେଶାଲିଷ୍ଟ ଆହତ କାରଣରୁ ଦଳରେ ସ୍ଥାନ ପାଇନାହାନ୍ତି ।
ପ୍ରାୟ ୧୪ ମାସ ପରେ ପୁଣିଥରେ ହିଟ୍ମ୍ୟାନ୍ ରୋହିତ ଶର୍ମାଙ୍କ ହାତକୁ ଫେରିଛି ଟି୨୦ ଦଳର କମାଣ । ଜାନୁଆରୀ ୧୧ରୁ ଆରମ୍ଭ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ସିରିଜ୍ ପାଇଁ ଘୋଷିତ ହୋଇଥିବା ଭାରତୀୟ ଦଳରେ ୬ ଅଭିଜ୍ଞ ବ୍ୟାଟରଙ୍କ ସହିତ ୨ ୱିକେଟ୍କିପର-ବ୍ୟାଟର, ୩ ଅଲ୍ରାଉଣ୍ଡର, ୨ ସ୍ପିନର ଓ ୩ ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି । ଅଧିନାୟକ ରୋହିତ ଶର୍ମା, ଶୁଭମନ ଗିଲ୍, ଯଶସ୍ବୀ ଜୟସ୍ବାଲ ଓ ବିରାଟ କୋହଲିଙ୍କ ସହିତ ଟପ୍ ଅର୍ଡର ବେଶ ସୁଦୃଢ଼ ହୋଇଛି । ତିଲକ ବର୍ମା, ଜିତେଶ ଶର୍ମା ଓ ସଞ୍ଜୁ ସାମ୍ସନ୍ଙ୍କ ଉପରେ ଅପର-ମିଡିଲ୍ ଅର୍ଡର ସମ୍ଭାଳିବା ପାଇଁ ଗୁରୁଦାୟିତ୍ବ ରହିବ । ସେହିଭଳି ରିଙ୍କୁ ସିଂହ ଓ ଶିବମ ଦୁବେ ଫିନିସର ଭୂମିକା ନିର୍ବାହ କରିବେ । ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲିଂ ବିଭାଗର ନେତୃତ୍ବ ଯୁବ ବାମହାତୀ ପେସର ଅର୍ଶଦୀପ ସିଂହଙ୍କ ହାତରେ ରହିବ । ତାଙ୍କ ସହଯୋଗ ପାଇଁ ଅଭେଶ ଖାନ ଓ ମୁକେଶ କୁମାରଙ୍କ ଭଳି ବୋଲର ମଧ୍ୟ ରହିଛନ୍ତି । ସ୍ପିନ ବିଭାଗରେ ଅଭିଜ୍ଞ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ମଖ୍ୟ ଦାୟିତ୍ବ ସମ୍ଭାଳିବେ । ସହଯୋଗ ପାଇଁ ଅକ୍ଷର ପଟେଲଙ୍କ ସମେତ ରବି ବିଷ୍ଣୋଇ ଓ ୱାସିଂଟନ୍ ସୁନ୍ଦରଙ୍କ ଭଳି ଯୁବ ତାରକା ସ୍କ୍ବାଡ୍ରେ ରହିଛନ୍ତି ।
ତେବେ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ଖବର ହେଉଛି ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଟି୨୦ ଖେଳିବାକୁ ମୈଦାନକୁ ଓହ୍ଲାଇବେ ହିଟ୍-ମ୍ୟାନ୍ ରୋହିତ ଶର୍ମା ଓ କିଙ୍ଗ୍ ବିରାଟ କୋହଲି । ଗତ ୨୦୨୨ ଟି୨୦ ବିଶ୍ବକପ୍ରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ୍ରେ ହିଁ ଶେଷ ମ୍ୟାଚ୍ ଖେଳିଥିଲେ ଉଭୟ ଷ୍ଟାର ବ୍ୟାଟର । ଏହି ମ୍ୟାଚ୍ରେ ଇଂଲଣ୍ଡ ୧୦ ୱିକେଟ୍ରେ ଅପ୍ରତ୍ୟାଶିତ ବିଜୟ ହାସଲ କରିନେଇଥିଲା । ଏହାପରେ ଆଉ ଅନ୍ତର୍ଜାତୀୟ ଟି୨୦ ଫର୍ମାଟ୍କୁ ଫେରିନଥିଲେ ରୋହିତ ଓ କୋହଲି । ତେବେ ଟି୨୦ ବିଶ୍ବକପ୍ ୨୦୨୪ ପୂର୍ବରୁ ଉଭୟଙ୍କ ପ୍ରତ୍ୟାବର୍ତ୍ତନରୁ ଏକ ପ୍ରକାର ସ୍ପଷ୍ଟ ଯେ, ଆଗାମୀ ବିଶ୍ବକପ୍ରେ ଉଭୟ ବ୍ୟାଟର ମୈଦାନରେ ବିପକ୍ଷ ବୋଲରଙ୍କୁ ଧୂଳି ଚଟାଉଥିବା ଦେଖିବାକୁ ମିଳିବ ।