ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ପାଇଁ ଶୁକ୍ରବାର ଭାରତୀୟ ଟିମ୍ ଘୋଷଣା କରିଛି ବିସିସିଆଇ । ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ରହିବେ ବୋଲି ସ୍ପଷ୍ଟ ହୋଇଛି । ତେବେ ଟେଷ୍ଟ ବିଶେଷଜ୍ଞ ଭାବେ ପରିଚିତ ବ୍ୟାଟର ଚେତେଶ୍ବର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଛି । ଯାହାକୁ ନେଇ ପୂଜାରାଙ୍କ କ୍ୟାରିୟରକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । WTC ଫାଇନାଲରେ ଦଳକୁ ଫେରି ଭଲ ପ୍ରଦର୍ଶନ କରିଥିବା ଆଜିଙ୍କ୍ୟ ରାହାଣେଙ୍କୁ ବଡ଼ ଦାୟିତ୍ବ ଦେଇଛି ବିସିସିଆଇ । ରାହାଣେଙ୍କୁ ଟେଷ୍ଟ ସିରିଜ୍ ପାଇଁ ଉପଅଧିନାୟକ ଦାୟିତ୍ବ ମିଳିଛି । ସେପଟେ ୧୭ ଜଣିଆ ଦିନିକିଆ ସ୍କ୍ବାଡରେ ୱିକେଟ ରକ୍ଷକ ବ୍ୟାଟର ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି ।
ତେବେ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ଯୁବ ତାରକା ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏବଂ ଋତୁରାଜ ଗାଏକୱାଡ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ୍ ପାଇଁ ଯଶସ୍ବୀଙ୍କୁ ଅତିରିକ୍ତ ତାଲିକାରେ ରଖାଯାଇଥିଲା । ଋତୁରାଜଙ୍କୁ ମଧ୍ୟ ପ୍ରଥମେ WTC ଅତିରିକ୍ତ ଖେଳାଳୀ ଭାବେ ଚୟନ କରାଯାଇଥିଲା । ହେଲେ ବିବାହ କାରଣରୁ ସେ ଦଳରେ ଯୋଗ ଦେଇ ପାରିନଥିଲେ । ଉଭୟ ଜୟସ୍ବାଲ ଏବଂ ଋତୁରାଜଙ୍କ ମଧ୍ୟରୁ ଯିଏ ବି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ, ତାଙ୍କ ଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଆଶା ରଖିଛି ବିସିସିଆଇ ।
ସେପଟେ ଦ୍ରୁତ ବୋଲର ମୁକେଶ କୁମାର ଏବଂ ନବଦୀପ ସୈନିଙ୍କୁ ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ମିଳିଛି । ଉଭୟ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଅଭିଜ୍ଞ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ଦିନିକିଆ ଦଳରେ ମଧ୍ୟ ଋତୁରାଜ ଗାଏକୱାଡଙ୍କୁ ସ୍ଥାନ ମିଳିଥିବା ବେଳେ ଦ୍ରୁତ ବୋଲର ଜୟଦେବ ଉନାଦକଟ ଏବଂ ମୁକେଶ କୁମାରଙ୍କୁ ମଧ୍ୟ ଚୟନ କରାଯାଇଛି ।