ହାଇଦ୍ରାବାଦ: ଭାରତୀୟ ମହିଳା ଅଣ୍ଡର-19 କ୍ରିକେଟ ଟିମ ବନିଲା ବିଶ୍ବ ବିଜେତା । ଟି20 ବିଶ୍ବକପ ହାତେଇ ଇତିହାସ ରଚିଛି ମହିଳା ଅଣ୍ଡର-19 କ୍ରିକେଟ ଟିମ । ରବିବାର ପ୍ରତିପକ୍ଷ ଇଂଲଣ୍ଡକୁ 7 ୱିକେଟରେ ହରାଇ ଏହି କୀର୍ତ୍ତିମାନ ହାସଲ କରିଛି ଟିମ ଇଣ୍ଡିଆ । ଏନେଇ ପ୍ରଧାନମନ୍ତ୍ରୀଙ୍କ ସମେତ କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଟ୍ବିଟ କରି ମହିଳା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ବିସିସିଆଇ ମଧ୍ୟ ସମସ୍ତ ଖେଳାଳିଙ୍କ ସମେତ ସ୍ପୋର୍ଟସ୍ ଷ୍ଟାଫଙ୍କୁ 5 କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି ।
ଭାରତୀୟ ଅଣ୍ଡର 19 ମହିଳା ଟିମ ଟି20 ବିଶ୍ବକପ ଟାଇଟଲ ହାତେଇ ଭାରତୀୟ କ୍ରୀଡା ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଛନ୍ତି । ସେଫାଳି ବର୍ମାଙ୍କ ନେତୃତ୍ବରେ ଭାରତ ICC ଅଣ୍ଡର 19 ମହିଳା ଟି20 ବିଶ୍ବ ଚାମ୍ପିୟନ ହୋଇ ଆଜିର ଦିନକୁ ସ୍ମରଣୀୟ କରିଛନ୍ତି । ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ 7 ୱିକେଟରେ ପରାସ୍ତ କରିଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 17.1 ଓଭରରେ 68 ରନ କରି ଅଲ ଆଉଟ ହୋଇଥିଲା । ଜବାବରେ ଭାରତ 14 ଓଭରରେ 3 ୱିକେଟ ହରାଇ 69 କରିଥିଲା । ସୌମ୍ୟା ତିୱାରୀ ଏବଂ ଗଙ୍ଗୋଦି ତ୍ରୀଶାଙ୍କ ଲଢୁଆ ଇନିଂସ ବଳରେ ଭାରତ ସହଜରେ ଟାର୍ଗେଟ ହାସଲ କରିଥିଲା । ଉଭୟ 24 ରନର ଇନିଂସ ଖେଳିଥିବା ବେଳେ ଅଧିନାୟିକା ସେଫାଳି ବର୍ମା 15 ରନ କରିଥିଲେ ।