ଢାକା: ଭାରତ ବିପକ୍ଷରେ ପ୍ରଥମ ଦିନିକିଆରେ ବିଜୟ ସହ ଇତିହାସ ରଚିଲା ବାଂଲାଦେଶ ମହିଳା କ୍ରିକେଟ ଦଳ । ଦିନିକିଆରେ ଭାରତ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଛି ଘରୋଇ ଦଳ । ୨-୧ରେ ଟି୨୦ ସିରିଜ୍ କବ୍ଜା କରିବା ପରେ ଭ୍ରମଣକାରୀ ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ ଆଜିଠାରୁ ଦିନିକିଆ ସିରିଜ ଆରମ୍ଭ ହୋଇଛି । ମୀରପୁରରେ ଆଜି ପ୍ରଥମ ଦିନିକିଆ ଖେଳାଯାଇଥିଲା । ଟସ୍ ଜିତି ଅଧିନାୟିକା ହର୍ମନପ୍ରୀତ କୌର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ବର୍ଷା କାରଣରୁ ଉଭୟ ଦଳ ୫୦ ଓଭର ବଦଳରେ ୪୪ ଓଭର ଲେଖାଏଁ ଖେଳିଥିଲେ ।
ପ୍ରଥମ ଦିନିକିଆରେ ପ୍ରଥମରୁ ବର୍ଷା ବାଧକ ସାଜିଥିଲା । ହେଲେ ବର୍ଷା ଛାଡ଼ିବା ପରେ ସମୟ ଅଭାବରୁ ଉଭୟ ଦଳକୁ ୪୪ ଓଭର ଲେଖାଏଁ ଖେଳିବାକୁ ଡିଏଲ୍ଏସ୍ କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସି ବାଂଲାଦେଶ ୧୫୨ ରନରେ ସମସ୍ତ ୱିକେଟ ହରାଇଥିଲା । ଓପନର ମୁର୍ସିଦା ଖାତୁନ ୩୦ ବଲରୁ ୧୩ ରନ କରି ଆଉଟ୍ ହୋଇଥିବା ବେଳେ ସର୍ମିନ ଅଖ୍ତର ଖାତା ଖୋଲି ପାରିନଥିଲେ । ତେବେ ଏହାପରେ ତୃତୀୟ ଓ ଚତୁର୍ଥ ନମ୍ବରରେ ଖେଳିବାକୁ ଆସି ଫର୍ଗାନା ହକ୍ ଓ ଅଧିନାୟିକା ନିଗର ସୁଲ୍ତାନା ଦଳ ପାଇଁ ସର୍ବାଧିକ ରନ ଯୋଡ଼ିଥିଲେ । ଫର୍ଗାନା ୪୫ ବଲରୁ ୫ ଚୌକା ସହ ୨୭ ରନ ଓ କ୍ୟାପ୍ଟେନ ସୁଲତାନା ଦଳ ପାଇଁ ସର୍ବାଧିକ ୩୯ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବେୟା ଖାନ୍ (୧୦), ଫହିମା ଖାତୁନ (୧୨) ଓ ସୁଲତାନା ଖାତୁନ(୧୬)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର୍ କରିପାରିନଥିଲେ ।
ସେପଟେ ଭାରତ ପାଇଁ ଡେବ୍ୟୁ କରିଥିବା ଅମନଜୋତ୍ କୌର ଦଳ ପାଇଁ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ସେ ସର୍ବାଧିକ ୪ଟି ୱିକେଟ ସଂଗ୍ରହ କରିଥିଲେ । ଦେବୀକା ବୈଦ୍ୟ ୨ଟି ଓ ଦୀପ୍ତି ଶର୍ମା ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ଫଳରେ ବାଂଲାଦେଶ ୪୩ ଓଭରରେ ୧୫୨ ରନ କରି ସମସ୍ତ ୱିକେଟ୍ ହରାଇଥିଲା ।