ବିଶାଖାପାଟଣା: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଘରୋଇ ଦଳର ବ୍ୟାଟିଂ ବିପର୍ଯ୍ୟୟ ପରେ ବୋଲରଙ୍କର ମଧ୍ୟ ସେଭଳି ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ଫଳରେ ଦ୍ବିତୀୟ ଦିନିକିଆକୁ ୧୦ ୱିକେଟରେ ଜିତି ନେଇଛି କଙ୍ଗାରୁ ଦଳ । ଦଳର ଉଭୟ ପ୍ରାରମ୍ଭିକ ବ୍ୟାଟର ଟ୍ରାବିସ ହେଡ୍ ଓ ମିଚେଲ ମାର୍ଶଙ୍କ ଅପରାଜିତ ଇନିଂନ୍ସ ବଳରେ ଭାରତ ଧରାଶାୟୀ ହୋଇଛି । ଫଳରେ ଶୃଙ୍ଖଳାକୁ ୧-୧ରେ ବରାବର କରିଛି ଅଷ୍ଟ୍ରେଲିଆ । ୫ ୱିକେଟ ସଫଳତା ପାଇଥିବା ମିଚେଲ ଷ୍ଟାର୍କ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭ୍ରମଣକାରୀ ଦଳ । ପ୍ରଥମ ଦିନିକିଆ ଜିତି ୧-୦ରେ ଆଗୁଆ ରହିଥିବା ଭାରତୀୟ ଦଳ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ କଙ୍ଗାରୁ ଦଳର ବୋଲିଂକୁ ସାମ୍ନା କରିବାରେ ବିଫଳ ହୋଇଥିଲା । ପ୍ରଥମ ପାଳିରେ ୫ ୱିକେଟ ହାସଲ କରି ଭାରତର ବ୍ୟାଟିଂ କ୍ରମକୁ ଧ୍ବଂସ କରିଦେଇଥିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ପାଳି ଆରମ୍ଭରୁ ଆକ୍ରମଣାତ୍ମକ ବୋଲିଂ ଜାରି ରଖିଥିଲେ ଅଷ୍ଟ୍ରେଲିଆ ବୋଲର । ଫଳରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ପ୍ରଥମ ଓଭରରୁ ହିଁ ଆରମ୍ଭ ହୋଇଥିଲା । ତେବେ ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୩୫ ବଲରୁ ୪ ଚୌକା ସହିତ ୩୧ ରନ ସଂଗ୍ରହ କରିଥିଲେ । ସେପଟେ ଅକ୍ଷର ପଟେଲଙ୍କ ଅପରାଜିତ ୨୯ ରନ ବଳରେ ଭାରତ ୧୧୭ ରନ ପର୍ଯ୍ୟନ୍ତ ପହଞ୍ଚିଥିଲା । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୧୩, ରାହୁଲ ୯, ହାର୍ଦ୍ଦିକ ପାଣ୍ଡ୍ୟା ୧, ଜାଡେଜା ୧୬ ଓ କୁଲଦୀପ ଯାଦବ ୪ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ଖେଳାଳି ଖାତା ଖୋଲିପାରିନଥିଲେ । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୫ ୱିକେଟ ସଫଳତା ହାସଲ କରିଥିବା ବେଳେ ସିନ୍ ଆବଟ୍ ୩ ଓ ନାଥନ ଏଲିସ ୨ଟି ସଫଳତା ପାଇଥିଲେ ।