ଓଡିଶା

odisha

ETV Bharat / sports

CWG 2022: ରୌପ୍ୟରେ ସନ୍ତୁଷ୍ଟ ଭାରତୀୟ ମହିଳା କ୍ରିକେଟ ଦଳ

ବର୍ମିଂହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଛି ଭାରତୀୟ ମହିଳା କ୍ରିକେଟ ଦଳ । ସ୍ବର୍ଣ୍ଣ ଲଢେଇରେ ଅଷ୍ଟ୍ରେଲିଆଠୁ 9ରନରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

By

Published : Aug 8, 2022, 10:31 AM IST

ରୌପ୍ୟରେ ସନ୍ତୁଷ୍ଟ ଭାରତୀୟ ମହିଳା କ୍ରିକେଟ ଦଳ
ରୌପ୍ୟରେ ସନ୍ତୁଷ୍ଟ ଭାରତୀୟ ମହିଳା କ୍ରିକେଟ ଦଳ

ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଟି-ଟ୍ବେଣ୍ଟି ସ୍ବର୍ଣ୍ଣ ମୁକାବିଲାରେ ପରାସ୍ତ ହୋଇଛି ଭାରତୀୟ ମହିଳା ଦଳ । ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମୁକାବିଲାରେ 9 ରନରେ ହାରି ସ୍ବର୍ଣ୍ଣ ହାତଛଡା କରି ରୌପ୍ୟ ପଦକ ଜିତିଛି ମହିଳା ଟିମ । ହରମନ ପ୍ରୀତଙ୍କ ଅର୍ଦ୍ଧଶତକୀୟ ଇନିଂସ ବୃଥା ଯାଇଛି ଫଳରେ ଦଳକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଅଷ୍ଟ୍ରେଲିଆ ସ୍ବର୍ଣ୍ଣ ପଦକ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 8 ୱିକେଟ ହରାଇ 161 ରନ କରିଥିଲା । ଜବାବରେ ଭାରତ 19.3 ଓଭରରେ 152 ରନ କରିବାକୁ ସକ୍ଷମ ହୋଇଥିଲା । ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଅଲିସା ଓ ମୁନି ପାଳି ଆରମ୍ଭ କରିଥିଲେ । ପେସ ବୋଲର ରେଣୁକା ସିଂହ ତୃତୀୟ ଓଭର ଦ୍ବିତୀୟ ବଲରେ ହିଲି(7)ଙ୍କୁ ଆଉଟ କରିଥିଲେ । ମୁନି ଓ ଲାନିଙ୍ଗ୍(36) ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦଳୀୟ ସ୍କୋର 74ରେ ଦ୍ବିତୀୟ ୱିକେଟରେ ଲାନିଙ୍ଗ ଆଉଟ ହୋଇଥିଲେ । ଏହା ପରେ ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । 8 ୱିକେଟ ହରାଇ ଅଷ୍ଟ୍ରେଲିଆ 161 ରନ କରିଥିଲା । ଭାରତ ପକ୍ଷରୁ ରେଣୁକା ଓ ସ୍ନେହା ରାଣା 2ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

ଏହି ବି ପଢନ୍ତୁ...India vs WestIndies T20I: ପଞ୍ଚମ ଟି-ଟ୍ବେଣ୍ଟି ଜିତି 4-1ରେ ସିରିଜ ସିଲ କଲା ଭାରତ

162 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ । ମାତ୍ର 22 ରନରେ ଦୁଇ ଓପନରଙ୍କୁ ହରାଇଥିଲା ଭାରତ । ସ୍ମୃତି ମାନ୍ଧାନା 6 ସେଫାଳି ବର୍ମା 11 ରନ କରି ଆଉଟ ହୋଇଥିଲେ । ଜେମିମା ରୋଡ୍ରିଗ୍ସ ଓ ହରମନପ୍ରୀତ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗରୁ ନେଇଥିଲେ । 34 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ହରମନପ୍ରୀତ । 14 ଓଭର ସୁଦ୍ଧା ଦଳୀୟ ସ୍କୋର 112ରେ ପହଞ୍ଚିଥିଲା । 6 ଓଭରରେ ବିଜୟ ପାଇଁ ଦଳକୁ 50 ରନ ଆବଶ୍ୟକ ଥିଲା । 15 ତମ ଓଭରରେ ଜେମିମା (33) ଆଉଟ ହୋଇଥିଲେ । ଏହା ପରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପରବର୍ତ୍ତୀ ଓଭରରେ ଆଉ 2ଟି ୱିକେଟ ପତନ ହୋଇଥିଲା । ହରମନପ୍ରୀତ 43 ବଲରୁ 64 (7ଚୌକା, 2 ଛକା) ଓ ପୂଜା ବସ୍ତ୍ରାକାର 1 କରି ଆଉଟ ହୋଇଥିଲେ । ଗୋଟିଏ ସମୟରେ ବିଜୟ ସହଜ ମନେ ହେଉଥିଲା ହେଲେ ସବୁ କିଛି ଓଲଟପାଲଟ ହୋଇଗଲା । ଅଷ୍ଟ୍ରେଲିଆ ମ୍ୟାଚକୁ ଫେରିଥିଲା । ଭାରର ରନ ଗାଡି 152ରେ ଅଟକି ଯାଇଥିଲା । ଫଳରେ ଫାଇନାଲ ମୁକାବିଲା ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛି ଅଷ୍ଟ୍ରେଲିଆ ।

ଭାରତୀୟ ମହିଳା କ୍ରିକେଟ ଦଳକୁ ରୌପ୍ୟ ଜିତିଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ବିଟ କରି ରାଷ୍ଟ୍ରପତି ଲେଖିଛନ୍ତି,'' ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଥିବାରୁ ଅନେକ ଅନେକ ଶୁଭେଚ୍ଛା । ତୁମେମାନେ ଶେଷ ପର୍ଯ୍ୟନ୍ତ ଚମ୍ପିଆନ୍ ପରି ଖେଳିଥିଲେ ଏବଂ ମ୍ୟାଚ୍ ସମୟରେ ତୁମର ନିଷ୍ଠା ଚମତ୍କାର ରହିଥିଲା । ଆମର ଝିଅମାନେ ବର୍ମିଂହାମରେ ଦେଶକୁ ଗର୍ବିତ କରିଛନ୍ତି ।''

ABOUT THE AUTHOR

...view details