ଲର୍ଡସ୍: ଦ୍ବିତୀୟ ଆସେସ୍ ଶୃଙ୍ଖଳା ଟେଷ୍ଟ ମ୍ୟାଚ୍ରେ ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳୀଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ସାରା ବିଶ୍ବରେ ବିଭିନ୍ନ ଦେଶର କେବଳ କ୍ରିକେଟ୍ ଖେଳାଳି ନୁହେଁ, ପୂର୍ବତନ କ୍ରିକେଟର, ଏପରିକି ଦୁଇ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାରେ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ବିଶ୍ବ କ୍ରିକେଟ୍ରେ ଚର୍ଚ୍ଚା ଜୋର ଧରିଛି । ତେବେ କ୍ରିକେଟ୍ ଖେଳକୁ ନେଇ ଏହି ବିବାଦ ଏବେ କେଉଁ ଦିଗକୁ ଯାଉଛି, ତାହା ଉପରେ ରହିଛି ସମଗ୍ର ବିଶ୍ବର କ୍ରିକେଟ ପ୍ରେମୀଙ୍କ ନଜର ।
କଣ ଏହି ଆସେସ୍ ସିରିଜ୍: ଆଇସିସି ଟୁର୍ଣ୍ଣାମେଣ୍ଟ ପରେ ମଧ୍ୟ କ୍ରିକେଟରେ କିଛି ହାଇଭୋଲ୍ଟେଜ୍ ସିରିଜ ଖେଳଯାଉଛି । ସେଗୁଡ଼ିକ ମଧ୍ୟରୁ ଆସେସ୍ ଶୃଙ୍ଖଳା ଅନ୍ୟତମ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତି ଦୁଇ ବର୍ଷରେ ଥରେ ଆସେସ୍ ଶୃଙ୍ଖଳା ଖେଳାଯାଏ । ୧୮୮୨ ମସିହାରୁ ଏପର୍ଯ୍ୟନ୍ତ ମୋଟ ୭୨ଟି ଆସେସ୍ ଶୃଙ୍ଖଳା ଖେଳାଯାଇଛି । ସେଥିରୁ ଅଷ୍ଟ୍ରେଲିଆ ୩୪ଟିରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୩୨ଟି ଶୃଙ୍ଖଳା ଜିତିଛି । ଆସେସ୍ ଶୃଙ୍ଖଳାରେ କେବଳ ୫ଟି ଟେଷ୍ଟ ମ୍ୟାଚ୍ ଖେଳାଯାଏ ।
ମିଚେଲ୍ ଷ୍ଟାର୍କଙ୍କ ବିବାଦୀୟ କ୍ୟାଚ୍: ତେବେ ବର୍ତ୍ତମାନ ଜାରି ରହିଥିବା ଆସେସ୍ ଶୃଙ୍ଖଳାରେ ୨ଟି ମ୍ୟାଚ୍ ଖେଳ ସରିଛି । ୨ଟି ଯାକ ମ୍ୟାଚ୍ ଜିତି ୨-୦ ଲିଡ୍ରେ ରହିଛି ଅଷ୍ଟ୍ରେଲିଆ । ହେଲେ ଦ୍ବିତୀୟ ମ୍ୟାଚ୍ ବିଜୟ ପରେ ଉଭୟ ଦଳ ଆକ୍ରମଣାତ୍ମକ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଉଭୟ ଦଳର ଆକ୍ରମଣ ଏବେ କେବଳ ପଡ଼ିଆ ମଧ୍ୟରେ ସୀମିତ ରହିନାହିଁ । ଏହି ମ୍ୟାଚ୍ରେ କିଛି ବିବାଦୀୟ ଚିତ୍ର ଦେଖିବାକୁ ମିଳିଥିଲା । ସେହି ମଧ୍ୟରୁ ମିଚେଲ ଷ୍ଟାର୍କଙ୍କ କ୍ୟାଚ୍କୁ ନେଇ ପ୍ରଥମେ ଚର୍ଚ୍ଚା ହୋଇଥିଲା । ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ର ଚତୁର୍ଥ ଦିନରେ ଇଂଲଣ୍ଡର ଓପନର ବେନ୍ ଡକେଟ୍ ଏକ ସର୍ଟ୍ ପିଚ୍ ବଲକୁ ଫାଇନ୍ ଲେଗ୍କୁ ଖେଳିଥିଲେ । ଏହି ସମୟରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଫାଇନ୍ ଲେଗ୍ରେ ଫିଲ୍ଡିଂ କରୁଥିଲେ । ସେ ବଲ୍ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇଥିଲେ ଏବଂ ବଲକୁ ଅଟକାଇ ମଧ୍ୟ ଦେଇଥିଲେ । ତେବେ ସେ ପଡ଼ିଆରେ ଖସି ଯାଉଥିବା ସମୟରେ ବଲକୁ ଘାସରେ ଦବାଇ ଦେଇଥିଲେ । ଏହାପରେ ଅଷ୍ଟ୍ରେଲୀୟ ଖେଳାଳି ଏହାକୁ ଆଉଟ୍ ବୋଲି ଅପିଲ୍ କରିଥିଲେ । ହେଲେ ତୃତୀୟ ଅମ୍ପାୟାର ଏହାକୁ ନଟ୍ ଆଉଟ୍ ଘୋଷଣା କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ଏଭଳି କ୍ୟାଚ୍ ଧରାଯାଏନି ବୋଲି ପୂର୍ବତନ ଇଂଲଣ୍ଡ ଖେଳାଳି ମାନେ ବୟାନ ଦେଇଥିଲେ । ସେପଟେ ଯଦି ଏହା କୌଣସି ଇଂଲଣ୍ଡ ଖେଳାଳି ଧରିଥାନ୍ତେ, ତେବେ ଏହା ସଠିକ ହୋଇଥାନ୍ତା ବୋଲି ଅଷ୍ଟ୍ରେଲୀୟ ଖେଳାଳି ମତ ରଖିଥିଲେ ।