ହଙ୍ଗଝୌ:ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡାର ଆଜି 14ତମ ଦିନ । କ୍ରିକେଟରେ ଆଜି ଫାଇନାଲ ମୁକାବିଲା ରହିଛି । ସ୍ବର୍ଣ୍ଣ ପଦକ ପାଇଁ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଲଢେଇ ହେବ । ଏସୀୟ କ୍ରୀଡାରେ ଭାରତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରି ଚାଲିଥିବା ବେଳେ ଆଜି ମଧ୍ୟ କ୍ରିକେଟରେ ଭାରତର ବିଜୟ ହେବା ନେଇ ଆଶା ରହିଛି । ଋତୁରାଜ ଗାଏକ୍ବାଡ୍ଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ ।
ଶୁକ୍ରବାର ପ୍ରଥମ ଓ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳା ଯାଇଥିଲା । ପ୍ରଥମେ ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ବୋଲିରେ ଦମଦାର ପ୍ରଦର୍ଶନ କରିଥିଲା । ପ୍ରଥମେ ବ୍ୟାଟି ପାଇଁ ପଡିଆକୁ ଓହ୍ଳାଇ 20 ଓଭରରେ 9 ଓ୍ବିକେଟ ହରାଇ ମାତ୍ର 96 ରନ କରିଥିଲା ବାଂଲାଦେଶ । ଜବାବରେ ଭାରତ ମାତ୍ର ଗୋଟିଏ ଓ୍ବିକେଟ ହରାଇ 9.2 ଓଭରରେ 97 ରନ ବାଂଲାଦେଶକୁ ପରାସ୍ତ କରି ସିଧା ଫାଇନାଲକୁ ପ୍ରବେଶ କରିଥିଲା । ତିଲକ ବର୍ମା 25 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।
ସେହିପରି ଦ୍ବିତୀୟ ସେମିଫାଇନଲାରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 18 ଓଭରରେ 115 ରନ କରି ଅଲଆଉଟ ହୋଇଥିଲା । ଏହାପରେ ଆଫଗାନିସ୍ତାନ ଦମଦାର ବ୍ୟାଟିଂ କରି 4 ଓ୍ବିକେଟରେ ପାକକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଆଜି ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ ।