ପାଲ୍ଲେକାଲ (ଶ୍ରୀଲଙ୍କା): ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ମୈଦାନରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହୋଇଥିବା ବେଳେ ପୁଣି ପ୍ରଶଂସକଙ୍କୁ ନିରାଶ କରିଛନ୍ତି ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟର । ବାରମ୍ବାର ବାମହାତୀ ଦୃତ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରୁଥିବା ଟିମ୍ ଇଣ୍ଡିଆର ଶୀର୍ଷକ୍ରମ ବ୍ୟାଟର ଏଥର ମଧ୍ୟ ସମାନ ଭାବରେ ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଆଜିର ମ୍ୟାଚ୍ରେ ଦୃତ ବୋଲର ଶାହୀନ ଶାହ ଆଫ୍ରିଦି ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଦଳର ଅଭିଜ୍ଞ ବ୍ୟାଟର ବିରାଟ କୋହଲିଙ୍କୁ କ୍ଲିନ୍ ବୋଲ୍ଡ କରି ଟିମ୍ ଇଣ୍ଡିଆର ଶୀର୍ଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଛନ୍ତି । ଏହାପରେ ସେଟ୍ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଜାଡେଜାଙ୍କ ସମେତ ୪ ୱିକେଟ ସଫଳତା ପାଇଛନ୍ତି ଶାହୀନ ଆଫ୍ରିଦି । ଫଳରେ ମାତ୍ର ୨୬୬ ରନରେ ସମସ୍ତ ୱିକେଟ ହରାଇଛି ଟିମ୍ ଇଣ୍ଡିଆ ।
ଟିମ୍ ଇଣ୍ଡିଆକୁ କାଳ ବାମହାତୀ ପେସର୍: ଆଇସିସି ଇଭେଣ୍ଟ୍ରେ ଦୀର୍ଘ ବର୍ଷରୁ ଭାରତୀୟ ବ୍ୟାଟରଙ୍କ ପାଇଁ କାଳ ସାଜିଛନ୍ତି ବାମହାତୀ ବୋଲର । ୨୦୧୫ ବିଶ୍ବକପ୍ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ୍ ଓ ମିଚେଲ୍ ଜନ୍ସନ୍ଙ୍କ ବଲକୁ ସାମ୍ନା କରିନପାରି ବିଶ୍ବକପ୍ ଅଭିଯାନ ଶେଷ କରିଥିଲା ଭାରତ । ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୧୭ ଫାଇନାଲ୍ରେ ପାକିସ୍ତାନୀ ବାମହାତୀ ବୋଲର ମହମ୍ମଦ ଆମିରଙ୍କ ବଲରେ ଧରାଶାୟୀ ହୋଇଥିଲା ଟିମ୍ ଇଣ୍ଡିଆ । ସେହିଭଳି ଆଇସିସି କ୍ରିକେଟ୍ ବିଶ୍ବକପ୍ ୨୦୧୯ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ ଭାରତ ପରାଜୟର ଏକମାତ୍ର କାରଣ ବୋଲି କୁହାଯାଇପାରେ । ଟି୨୦ ବିଶ୍ବକପ୍ ୨୦୨୧ରେ ପାକିସ୍ତାନର ଶାହୀନ ଶାହ ଆଫ୍ରିଦିଙ୍କ ବଲକୁ ସାମ୍ନା କରିନପାରି ଧରାଶାୟୀ ହୋଇଥିଲା ଭାରତ । ଭାରତୀୟ ବ୍ୟାଟରମାନେ କ୍ରମାଗତ ଭାବେ ଏଭଳି ବାମହାତୀ ବୋଲରଙ୍କୁ ସାମ୍ନା କରିନପାରି ସହଜରେ ୱିକେଟ ହରାଇବାର ଉଦାହରଣ ଏବେ ପର୍ଯ୍ୟନ୍ତ ଜାରି ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs Pak: ମ୍ୟାଚ୍ ଆରମ୍ଭରୁ ବର୍ଷା ବାଧକ, ଜାଣନ୍ତୁ କଣ ରହିଛି ବିକଳ୍ପ