ନୂଆଦିଲ୍ଲୀ:କ୍ରିକେଟ ପ୍ରେମୀ ହୋଇ ଯାଆନ୍ତୁ ପ୍ରସ୍ତୁତ । ଆଉ କିଛି ଘଣ୍ଟାର ଅପେକ୍ଷା । ବିଶ୍ବକପ ପୂର୍ବରୁ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ମହାସମର । ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର 16ତମ ସଂସ୍କରଣରେ ଆଜି ପ୍ରଥମ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ । ପାକିସ୍ତାନର ମୁଲତାନ କ୍ରିକେଟ ଷ୍ଟାଡିୟମରେ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ହେବ । ଅପରାହ୍ନ 3ଟାରୁ ଆରମ୍ଭ ହେବ ମ୍ୟାଚ । ସେପ୍ଟେମ୍ବର 2 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ରହିଛି ।
ଏସିଆ କପ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ । ବାବାର ଆଜମଙ୍କ ଅଧିନାୟକତ୍ବରେ ମୈଦାନକୁ ଓହ୍ଲାଇବ ପାକ । ସେହିପରି ପ୍ରଥମ ଥର ପାଇଁ ନେପାଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛି । ପ୍ରଥମ ଥର ପାଇଁ ନେପାଳର ପ୍ରଦର୍ଶନ ଦେଖିବାକୁ ପାଇବେ କ୍ରିକେଟପ୍ରେମୀ । ଏହି ମ୍ୟାଚରେ ପାକିସ୍ତାନ ବିଜୟ ଦାବିଦାର ଥିଲେ ସୁଦ୍ଧା ବିପର୍ଯ୍ୟୟ ଘଟାଇ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ରୋହିତ ପୌଦେଲଙ୍କ ନେତୃତ୍ବାଧୀନ ନେପାଳ । ପାକିସ୍ତାନର ପେସ ବାହିନୀ ସନ୍ତୁଳିତ ରହିଛି । ନେପାଳ ବ୍ୟାଟରଙ୍କୁ ଏହାର ସାମ୍ନା କରିବା କଷ୍ଟକର ହୋଇପାରେ ମାତ୍ର ସେମାନେ କଡା ରଣନୀତି ସହ ମୈଦାନକୁ ଓହ୍ଲାଇବେ । ମୁଲତାନୀ ପିଚ ବ୍ୟାଟଂ ପାଇଁ ଅନୁକୂଳ ହେବ । ଇଣ୍ଡିଜ ଓ ପାକିସ୍ତାନ ମଧ୍ୟରେ ଏହି ଗ୍ରାଉଣ୍ଡରେ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ 300ରୁ ଅଧିକ ରନ ସଂଗ୍ରହ ହୋଇଥିଲା ।
ଆଇସିସି ବିଶ୍ବକପକୁ ନଜରରେ ରଖି ଏସିଆ କପକୁ ଏଥର ଦିନିକିଆ ଫର୍ମାଟରେ ଆୟୋଜନ କରାଯାଇଛି । ପୂର୍ବ ଏସିଆ କପ ଟି-ଟ୍ବେଣ୍ଟି ଫର୍ମାଟରେ ଅନୁଷ୍ଠିତ ହୋଇଥିଲା । କେବଳ ନେପାଳକୁ ଛାଡି ଦେଲେ ଅନ୍ୟ 5ଟି ଦେଶ ଦିନିକିଆ ବିଶ୍ବକପ ଖେଳିବ ।