କଲମ୍ବୋ: ଏସିଆ କପ୍ ୨୦୨୩ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଗତକାଲିର ବାକିଥିବା ମ୍ୟାଚ୍ ଖେଳାଯାଉଛି । ଆଜି ଭାରତ ୨୪.୧ ଓଭରରୁ ବ୍ୟାଟିଂ କରି ଆରମ୍ଭ କରି ପାକିସ୍ତାନ ଆଗରେ ୩୫୬ ରନ୍ ବିଶାଳ ସ୍କୋର ଛିଡ଼ା କରିଛି । ତେବେ ଏହି ମ୍ୟାଚ୍ରେ କିଙ୍ଗ୍ କୋହଲିଙ୍କ ବ୍ୟାଟ୍ ଖୁବ ଗର୍ଜନ କରିଥିବା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ରେ ଶତକ ହାସଲ କରିବା ସହ ଇତିହାସ ରଚିଛନ୍ତି ରନ୍ ମେସିନ୍ ବିରାଟ କୋହଲି । ଦିନିକିଆ କ୍ୟାରିୟରରେ ବିରାଟ ୪୭ ତମ ଶତକ ହାସଲ କରିଥିବା ବେଳେ ୧୩ ହଜାର ଦିନିକିଆ ଅନ୍ତର୍ଜାତୀୟ ରନ୍ ପୂରା କରିବାରେ ଦ୍ରୁତତମ ବ୍ୟାଟର ହୋଇଛନ୍ତି ।
ଏକଦିବସୀୟ ଫର୍ମାଟ୍ରେ ସବୁଠାରୁ ଦ୍ରୁତ ଗତିରେ ୧୩ ହଜାର ରନ୍ ପୂରା କରିଛନ୍ତି ରନ୍ ମେସିନ୍ ବିରାଟ କୋହଲି । ଏହି କୀର୍ତ୍ତିମାନ ସହ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂକୁ ପଛରେ ପକାଇ ଦେଇଛନ୍ତି । ବିରାଟ କୋହଲି ମାତ୍ର ୨୬୭ଟି ମ୍ୟାଚ୍ ଖେଳି ୧୩ ହଜାର ରନ୍ ପୂରା କରିଛନ୍ତି । ଏହି ତାଲିକାର ଦ୍ବିତୀୟରେ ରହିଥିବା ମହାନ କ୍ରିକେଟର ସଚିନ ତେନ୍ଦୁଲକର ୩୨୧ ପାଳିରେ ୧୩ ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଥିଲେ । ସେହିଭଳି ୩୪୧ ପାଳିରେ ଏହି ସଫଳତା ହାସଲ କରିଥିବା ଅଷ୍ଟ୍ରେଲିୟ କିମ୍ବଦନ୍ତୀ ରିକି ପଣ୍ଟିଂ ତୃତୀୟରେ ରହିଛନ୍ତି । ଏହି ତାଲିକାରେ ଚତୁର୍ଥ ଓ ପଞ୍ଚମରେ ଶ୍ରୀଲଙ୍କାର ମହାନ କ୍ରିକେଟର କୁମାର ସାଙ୍ଗାକାରା ଓ ସନଥ୍ ଜୟସୁରିୟା ରହିଛନ୍ତି । ଉଭୟ ଏହି ମାଇଲ ଖୁଣ୍ଟ ଛୁଇଁବାକୁ ଯଥାକ୍ରମେ ୩୬୩ ଓ ୪୧୬ ପାଳି ଖେଳିଥିଲେ ।