କଲମ୍ବୋ: ଏସିଆ କପ୍ ୨୦୨୩ରେ ଏବେ ପର୍ଯ୍ୟନ୍ତ ଗୋଟିଏ ପୂର୍ଣ୍ଣାଙ୍ଗ ମ୍ୟାଚ୍ ଖେଳିପାରିନି ଟିମ୍ ଇଣ୍ଡିଆ । ପାକିସ୍ତାନ ବିପକ୍ଷରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ବର୍ଷା ଧୋଇନେବା ପରେ ନେପାଳ ବିପକ୍ଷ ମ୍ୟାଚ୍ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇ ଡିଏଲ୍ଏସ୍ ନିୟମ ଅନୁଯାୟୀ ଶେଷ ହୋଇଥିଲା । ତେବେ ନେପାଳ ବିପକ୍ଷ ମ୍ୟାଚ୍ ପରେ ରବିବାର ପାକିସ୍ତାନ ବିପକ୍ଷରେ ମଧ୍ୟ ଧୂଆଁଧାର ବ୍ୟାଟିଂ ଜାରି ରଖି କ୍ରମାଗତ ଅର୍ଦ୍ଧଶତକ ହାସଲ କରିଥିଲେ ଦୁଇ ଭାରତୀୟ ଓପନର ଶୁଭମନ ଗିଲ ଓ ଅଧିନାୟକ ରୋହିତ ଶର୍ମା ।
ରୋହିତଙ୍କ ୫୦ତମ ଅର୍ଦ୍ଧଶତକ: ଏସିଆ କପ୍ ୨୦୨୩ ସୁପର-୪ ପର୍ଯ୍ୟାୟରେ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ୪୯ ବଲର ସମ୍ମୁଖୀନ ହୋଇଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ୫୬ ରନ କରି ଆଉଟ ହୋଇଥିଲେ । ଏଥିରେ ୪ଟି ଛକା ଓ ୬ଟି ଚୌକା ମଧ୍ୟ ମାରିଛନ୍ତି ହିଟ୍ ମ୍ୟାନ । ଅର୍ଥାତ୍ ସେ କରିଥିବା ୫୬ ରନରୁ ୪୮ ରନ କେବଳ ବାଉଣ୍ଡରୀରୁ ହାସଲ କରିଛନ୍ତି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହା ଥିଲା ରୋହିତ ଶର୍ମାଙ୍କ ୫୦ତମ ଦିନିକିଆ ଅର୍ଦ୍ଧଶତକ । ସେ ଏହାକୁ ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ୍ରେ ବେଶ ସ୍ମରଣୀୟ ଓ ଦମଦାର ଷ୍ଟାଇଲରେ ଛକା ମାରି ହାସଲ କରିଛନ୍ତି । ଏହାପରେ ସେ ପୁଣିଥରେ ଶଦାବ ଖାନଙ୍କୁ ଛକା ମାରିବାକୁ ଚେଷ୍ଟା କରି ଆଉଟ୍ ହୋଇଯାଇଥିଲେ । ରୋହିତ ୪୯ ବଲରେ ୫୬ ରନ୍ କରି ପାଭିଲିୟନ ଫେରିଥିଲେ ।