କଲମ୍ବୋ: ଟିମ୍ ଇଣ୍ଡିଆର ଫାଷ୍ଟ ବ୍ରିଗେଡ୍ ସମ୍ମୁଖରେ ତିଷ୍ଠି ପାରିଲେ ନାହିଁ ଶ୍ରୀଲଙ୍କା ବ୍ୟାଟର । ଭାରତ ବିପକ୍ଷରେ ସର୍ବନିମ୍ନ ଦଳୀୟ ସ୍କୋରର ଅଲୋଡ଼ା ରେକର୍ଡ ହାତେଇଛି ଶ୍ରୀଲଙ୍କା । ଏସିଆ କପ୍ ଫାଇନାଲ୍ରେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା କ୍ୟାପଟେନ । ତେବେ ମ୍ୟାଚ୍ ଆରମ୍ଭରୁ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।
ଖାତା ଖୋଲିବା ପୂର୍ବରୁ କୁଶାଲ ପେରେରାଙ୍କୁ ପାଭେଲିୟନ ରାସ୍ତା ଦେଖାଇଥିଲେ ଷ୍ଟ୍ରାଇକ୍ ବୋଲର ଜଶପ୍ରୀତ ବୁମରା । ପ୍ରଥମ ଓଭରରୁ ୱିକେଟ ଦଖଲ କରି ଭାରତୀୟ ଫାଷ୍ଟ ବୋଲର ନିଜ ଉଦ୍ଦେଶ୍ୟ ସ୍ପଷ୍ଟ ଜାହିର କରି ସାରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲା ଶ୍ରୀଲଙ୍କା । ବୁମରା ପ୍ରଥମ ୱିକେଟ ନେବା ପରେ ମହମ୍ମଦ ସିରାଜ ନିଜ କମାଲ ଦେଖାଇବା ଆରମ୍ଭ କରିଥିଲେ । ପ୍ରଥମେ ଓପନର ପାଥୁମ ନିଶଙ୍କଙ୍କୁ ଆଉଟ କରିଥିଲେ । ଏହାପରେ ସମରାୱିକ୍ରମଙ୍କୁ ଖାତା ଖୋଲିବାକୁ ସୁଯୋଗ ଦେଇନଥିଲେ । ଆସଲଙ୍କା ମଧ୍ୟ ପିଚ୍କୁ ଆସୁ ଆସୁ ଯିବା ବାଟ ଖୋଜିଥିଲେ । ଧନଞ୍ଜୟ ଡି ସିଲ୍ଭା, ଦାସୁନ ସନକ ଓ ପରେ କୁଶାଲ ମେଣ୍ଡିସଙ୍କୁ 17 ରନ୍ରେ ଆଉଟ କରି ଭାରତୀୟ ବୋଲର ଆଜି ବୋଲିଂ ଧାର ଦେଖାଇଛନ୍ତି ।
ମହମ୍ମଦ ସିରାଜ ମୋଟ 6 ୱିକେଟ ଦଖଲ କରି ଆକ୍ରାମକ ବୋଲର ସାବ୍ୟସ୍ତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଶ୍ରୀଲଙ୍କାର ଲୋୟର ଅର୍ଡର ବ୍ୟାଟରଙ୍କୁ ପିଚ୍ରେ ତିଷ୍ଠିବାକୁ ଦେଇନଥିଲେ । ସେ ମଧ୍ୟ 3 ୱିକେଟ ଦଖଲ କରିଥିବା ବେଳେ ଜଶପ୍ରୀତ ବୁମରା ଗୋଟିଏ ୱକେଟ ନେଇଛନ୍ତି । ଶ୍ରୀଲଙ୍କା ବ୍ୟାଟର ମାତ୍ର 15.2 ଓଭର ପର୍ଯ୍ୟନ୍ତ ପିଚ୍ରେ ତିଷ୍ଟି ପାରିଥିଲେ । ମାତ୍ର ଦୁଇଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଠ ସ୍କୋର୍ କରିବାକୁ ସକ୍ଷମ ହୋଇଥିଲେ । ଦଳର 5 ଜଣ ବ୍ୟାଟର ଖାତା ମଧ୍ୟ ଖୋଲି ପାରିନାହାନ୍ତି ।
ଏହି ପାଳି ସମାପ୍ତ ହେବା ସହ ଶ୍ରୀଲଙ୍କା ନାମରେ ଅନେକ ଅଲୋଡ଼ା ରେକର୍ଡ ସୃଷ୍ଟି ହୋଇଛି । ଦିନିକିଆରେ ସର୍ବନିମ୍ନ ଦଳୀୟ ସ୍କୋର୍ କରିଥିବା ଦଳ ମଧ୍ୟରେ ଏବେ ଦ୍ବିତୀୟ ସ୍ଥାନରେ ରହିଛି ଶ୍ରୀଲଙ୍କା । ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି ଜିମ୍ବାୱେ । 2017ରେ ହରାରେରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ରେ ଜିମ୍ବାୱେକୁ 35 ରନ୍ରେ ଅଲ୍ଆଉଟ୍ କରିଥିଲା ଶ୍ରୀଲଙ୍କା । ଆଜି ଖୋଦ ଶ୍ରୀଲଙ୍କାକୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି ।
ଏହାଛଡ଼ା ଦ୍ବିତୀୟ ଥର ପାଇଁ ଦିନିକିଆ ଇତିହାସରେ ସବୁ ୱିକେଟ ଫାଷ୍ଟ ବୋଲର ଦଖଲ କରିଛନ୍ତି । ଏହାପୂର୍ବରୁ ଭାରତ ବିପକ୍ଷରେ ପାକିସ୍ତାନ ଏହି ରେକର୍ଡ ହାସଲ କରିଥିଲା । ଶ୍ରୀଲଙ୍କାର ଦିନିକିଆ ଇତିହାସରେ ଏହା ଦ୍ବିତୀୟ ସର୍ବନିମ୍ନ ଦଳୀୟ ସ୍କୋର । ଏହାପୂର୍ବରୁ 2012ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଲଙ୍କା 43 ରନ୍ରେ ଅଲ୍ଆଉଟ ହୋଇଥିଲା । ଏକ ଫାଇନାଲ୍ ଦିନିକିଆରେ ଏହା ସର୍ବନିମ୍ନ ସ୍କୋର୍ ସାବ୍ୟସ୍ତ ହୋଇଛି । ଏଭଳି ଅନେକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି ଶ୍ରୀଲଙ୍କା ।