ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିବା ତାହା ସତ ହେଲା । ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କୋରୋନା ସଂକ୍ରମିତ ହେବାରୁ ତାଙ୍କ ସ୍ଥାନରେ ଜାତୀୟ କ୍ରିକେଟ୍ ଏକାଡେମୀ (NCA)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଟିମ୍ ଇଣ୍ଡିଆର ଅନ୍ତରୀଣ କୋଚ୍ ହୋଇଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ଏସିଆ କପ୍ ପାଇଁ ଭିଭିଏସଙ୍କୁ ଟିମ ଇଣ୍ଡିଆ କୋଚ ଦାୟିତ୍ବ ଭାର ପ୍ରଦାନ କରାଯାଇଛି । ଆସନ୍ତା 27ରୁ ଏସିଆ କପ୍ ଆରମ୍ଭ ହେବ ।
ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶିକ୍ଷଣରେ ଭାରତ ନିକଟରେ ଜିମ୍ବାୱେ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା । ଯୁବ ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ବରେ 3 ମ୍ୟାଚ ବିଶିଷ୍ଟ ସିରିଜରୁ କ୍ଲିନ ସୁଇପ କରିଥିଲା ଭାରତ । ରାହୁଲ ଦ୍ରାବିଡ କୋରୋନା ସଂକ୍ରମିତ ହୋଇଥିବାରୁ ତାଙ୍କୁ ଏସିଆ କପ ଗସ୍ତରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣ ମୁଖ୍ୟ କୋଚ ଭାର ସମ୍ଭାଳିବେ । ଲକ୍ଷ୍ମଣଙ୍କୁ ଅନ୍ତରୀଣ କୋଚ ନିଯୁକ୍ତି ସମ୍ପର୍କରେ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି ବିସିସିଆଇ । ଯେଉଁଥିରେ କୁହାଯାଇଛି ''ୟୁଏଇରେ ଖେଳାଯିବାକୁ ଥିବା ଆସନ୍ତା ଏସିଆ କପ୍ ୨୦୨୨ ପାଇଁ ଏନସିଏର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଟିମ ଇଣ୍ଡିଆର ବରିଷ୍ଠ ପୁରୁଷ ବର୍ଗର ଅନ୍ତରୀଣ କୋଚ ନିଯୁକ୍ତି ଦିଆଯାଇଛି ।'' ରାହୁଲ ସୁସ୍ଥ ହେଲେ ଓ ବିସିସିଆଇ ମେଡିକାଲ ଟିମ୍ କ୍ଲିୟରାନ୍ସ ଦେଲେ ସେ ପୁଣିଥରେ ଟିମ୍ ଇଣ୍ଡିଆର ଯୋଗ ଦେଇପାରିବେ ବୋଲି ବିସିସିଆଇ କହିଛି । ଦ୍ରାବିଡଙ୍କ ଅନୁପସ୍ଥିତିରେ ଲକ୍ଷ୍ମଣ କିପରି ଦାୟିତ୍ବ ତୁଲାଉଛନ୍ତି ତାହା ଦେଖିବା ବାକି ରହିଲା ।
ଏହା ବି ପଢନ୍ତୁ...ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ଝଟ୍କା, ମୁଖ୍ୟ କୋଚ୍ ଦ୍ରାବିଡଙ୍କୁ କୋରୋନା