ଦୁବାଇ:ଦେଶରେ ଅର୍ଥନୈତିକ ଅସ୍ଥିରତା, ଗଣତନ୍ତ୍ରର ମୃତ୍ୟୁ, ତୈଳ ନିଅଣ୍ଟ, ରାଜନୈତିକ ସଙ୍କଟ ଭଳି ଅନେକ ସମସ୍ୟା ସତ୍ତ୍ବେ କ୍ରିକେଟ ପଡିଆରେ ୧୧ଜଣ ଲଢୁଆ ହିରୋଙ୍କ ପାଇଁ ଶ୍ରୀଲଙ୍କାବାସୀ ଖୁସି ମନାଇବାର ଏକ ଅବସର ପାଇଛନ୍ତି । ଦାସୁନ ସନାଙ୍କାଙ୍କ ନେତୃତ୍ବରେ ଶ୍ରୀଲଙ୍କା ଟିମ ରବିବାର ସନ୍ଧ୍ୟାରେ ଦୁବାଇରେ ଖେଳାଯାଇଥିବା ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ୨୩ ରନ୍ରେ ହରାଇ ଷଷ୍ଠ ଥର ପାଇଁ ଏସିଆ କପ ଟ୍ରଫି ହାତେଇଛି । ଶ୍ରୀଲଙ୍କା ଖେଳାଳି ଏହି ଉପମହାଦେଶୀୟ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିବା ସହ ଘୋଷଣା କରିଛନ୍ତି ଯେ, ସେମାନଙ୍କ ଉତ୍ଥାନ ହୋଇସାରିଛି ଓ ସେମାନେ ମଧ୍ୟ ବେଶ ଶକ୍ତିଶାଳୀ, ବିଶେଷ କରି ଏହି ଟି୨୦ ଫର୍ମାଟରେ, ଯେଉଁ ଫର୍ମାଟରେ ବର୍ଷ ୨୦୧୪ରେ ବିଶ୍ବ ଚମ୍ପିଆନ ବନିଥିଲେ ।
ଏସିଆ କପ୍ ୨୦୨୨ ଟୁର୍ଣ୍ଣାମେଣ୍ଟର ଏହି ସଂସ୍କରଣରେ ପ୍ରଥମ ମ୍ୟାଚ୍ ପରାଜୟ ପରେ ଅପରାଜେୟ ରହିଥିବା ଶ୍ରୀଲଙ୍କା ପାଇଁ ଏହି ଯାତ୍ରା ଅନେକ ଦିନ ପର୍ଯ୍ୟନ୍ତ ସ୍ମରଣ ରହିବ । ଭାରତ ସମେତ ଅନ୍ୟ ଟିମଙ୍କ ପାଇଁ ମଧ୍ୟ ଏହା ପ୍ରେରଣା ହେବ, ଯେଉଁଟିମରେ ଅନେକ ଷ୍ଟାର ଓ ପାୱାରହିଟର, ମ୍ୟାଚ୍ ବିଜେତା ଥାଇମଧ୍ୟ ଫାଇନାଲରେ ପହଞ୍ଚିବାକୁ ବିଫଳ ହୋଇଛନ୍ତି ।
ତେବେ ଏହା ବାସ୍ତବ କଥା ଯେ, ଏସିଆନ କ୍ରିକେଟ କାଉନସିଲ କିମ୍ବା ଦୁବାଇର ସାଧାରଣ ଜନତା ସମସ୍ତେ ଚାହୁଁଥିଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା । ମାତ୍ର ଯୁବ କ୍ରିକେଟ ପ୍ରତିଭାଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଦ୍ବୀପଦେଶ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଟ୍ରଫି ବିଜେତା ମଧ୍ୟ ହୋଇପାରିଛି । ଭାରତର ପ୍ରତିଷ୍ଠିତ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଶ୍ରୀଲଙ୍କାର ଏହି ବିଜୟକୁ ମନ୍ଡେ ମୋଟିଭେସନ ବୋଲି କହିଛନ୍ତି । ଶ୍ରୀଲଙ୍କାର ବିଜୟରେ ଆଶ୍ଚର୍ଯ୍ୟ ନହୋଇ ସେ ଟ୍ବିଟ୍ରେ ଲେଖିଛନ୍ତି ଯେ, "ବିଜୟ ପାଇଁ ବଡ ସୁପରଷ୍ଟାରଙ୍କ ଆବଶ୍ୟକ ନଥାଏ, ବିଜୟ ପାଇଁ ସାମୂହିକ ଉଦ୍ୟମ, ବିଜୟର ଜିଦ୍ ସାଙ୍ଗକୁ ହାର୍ ନ ମାନିବାର ମନୋଭାବ ହି ଆବଶ୍ୟକ ।"
ତେବେ ନଜର ପକାନ୍ତୁ କେଉଁ କରିସ୍ମା ଦ୍ବାରା ଶ୍ରୀଲଙ୍କା ଏପରି ପ୍ରଦର୍ଶନ କରିବାରେ ସଫଳ ହୋଇପାରିଲା-
ନିର୍ଭୟ କ୍ରିକେଟ: ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନ ଠାରୁ ଲଜ୍ଜାଜନକ ପରାଜୟ ସତ୍ତ୍ବେ, ପରିଣାମକୁ ଖାତିର ନ କରି ଭୟଶୂନ୍ୟ କ୍ରିକେଟ ଖେଳିବାକୁ ପଛାଇ ନଥିଲେ ଶ୍ରୀଲଙ୍କା ଖେଳାଳି । ପଡିଆରେ ପୂର୍ବ ପରାଜୟକୁ ଭୁଲି ଲଢୁଆ ପ୍ରଦର୍ଶନ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିଥିଲେ । ଫଳସ୍ବରୂପ ୨୦୨୨ ଏସିଆ କପ ଟ୍ରଫି ଜିତିବାକୁ ସେମାନଙ୍କୁ ମାତ୍ର ଗୋଟିଏ ପରାଜୟର ସାମ୍ନା କରିବାକୁ ପଡିଥିଲା । ଆଫଗାନିସ୍ତାନ ଠାରୁ ହାରିବା ପରେ କର ବା ମର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ବାଂଲାଦେଶକୁ ହରାଇ ସୁପର ୪ ପର୍ଯ୍ୟାୟରେ ମହମ୍ମଦ ନବୀଙ୍କ ଟିମ ଠାରୁ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଥିଲେ ।
ପରେ ଡିଫେଣ୍ଡିଂ ଚମ୍ପିଆନ ଭାରତ ଓ ଟ୍ରଫି ଦାବିଦାର ପାକିସ୍ତାନକୁ ହରାଇ ସୁପର ୪ ପର୍ଯ୍ୟାୟରେ ଅପରାଜେୟ ରହିଥିଲା । ସମସ୍ତ ତିନୋଟି ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଥିଲା । ଏପରିକି ଫାଇନାଲ ମୁକାବିଲାରେ ମଧ୍ୟ ବାବର ଆଜମଙ୍କ ଟିମ ଟାଇଟେଲ ବିଜୟ ଦାବିଦାର ଅଧିକ ରହଥିଲା । ମାତ୍ର ଶ୍ରୀଲଙ୍କା ନିଶ୍ଚିନ୍ତ କରିଥିଲା ଯେ, ଏହି ଟୁର୍ଣ୍ଣାମଣ୍ଟ ତାଙ୍କ ପାଇଁ ବିପର୍ଯ୍ୟୟରୁ ଆରମ୍ଭ ହୋଇଥିଲା ସତ କିନ୍ତୁ ଶେଷ ବିଜୟରେ ହେବ । ଟୁର୍ଣ୍ଣାମେଣ୍ଟର ଅଣ୍ଡରଡଗ୍ସ ହୋଇଥିବାରୁ ଭୟଶୂନ୍ୟ କ୍ରିକେଟ ଖେଳିଥିଲେ ଶ୍ରୀଲଙ୍କାର ସମସ୍ତ ଖେଳାଳି । ସବୁ ସାମ୍ବାଦିକ ସମ୍ମିଳନୀରେ ପ୍ରତିପକ୍ଷ ଟିମକୁ ବଡ ଦର୍ଶାଇ ନୂଆ ରଣନୀତି ମଧ୍ୟ କରିଥିଲା ଟିମ ।
ହାର୍ ନ ମାନିବାର ମନୋଭାବ: ଟୁର୍ଣ୍ଣାମେଣ୍ଟର ଫେବରିଟ୍ ଟିମ ନହୋଇଥିଲେ ମଧ୍ୟ ପ୍ରଥମ ମ୍ୟାଚ୍ରେ ପରାଜୟ ପରେ ହାର୍ ନ ମାନିବାର ମନୋଭାବ ଶ୍ରୀଲଙ୍କାକୁ ବିଜୟୀ କରାଇଥିଲା । ଶ୍ରୀଲଙ୍କା ଜିତିଥିବା ସମସ୍ତ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ଭାବେ ଜିତିଛି ଓ ସେଥିମଧ୍ୟରୁ ୩ଟି ଶେଷ ଓଭରରେ ଜିତିଛି । ବାଂଲାଦେଶ ବିପକ୍ଷରେ ସବୁଠୁ ଆହ୍ବାନପୂର୍ଣ୍ଣ ରହିଥିଲା । ୧୮୪ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ଶ୍ରୀଲଙ୍କା ପାଖରେ ଶେଷ ଦୁଇଟି ୱିକେଟ ଓ ୪ଟି ବଲ୍ ବାକିଥିଲା । ସେହିପରି ଗ୍ରୁପ ପର୍ଯ୍ୟାୟରେ ଆଫଗାନିସ୍ତାନ ବିପକ୍ଷରେ ୧୭୬ ରନ୍ର ଟାର୍ଗେଟକୁ ୫ଟି ବଲ୍ ବାକିଥାଇ ହାସଲ କରିଥିଲା । ଭାରତ ବିପକ୍ଷରେ ମଧ୍ୟ ୧୭୪ ରନ୍ର ବଡ ଟାର୍ଗେଟକୁ ସଫଳତାର ସହ ହାସଲ କରିନେଇଥିଲେ ।
ମିଳିତ ପ୍ରଦର୍ଶନ: ଫାଇନାଲରେ ମ୍ୟାଚ୍ରେ ମଧ୍ୟ କୌଣସି ଚମତ୍କାର ଠାରୁ କମ ହୋଇନଥିଲା । ୬୭ ରନ୍ ମଧ୍ୟରେ ଅଧାଟିମ ଆଉଟ୍ ହୋଇସାରିଥିଲେ ତଥାପି ପାକିସ୍ତାନ ଆଗରେ ଆତ୍ମସମର୍ପଣ କରିନଥିଲା ଟିମ । ଶେଷ ୪ ଓଭରରେ ୫୦ ରନ୍ ସହ ୧୭୧ ରନ୍ର ଆହ୍ବାନପୂର୍ଣ୍ଣ ଟାର୍ଗେଟ ରଖିଥିଲା । ମ୍ୟାଚ୍ର ୧୫ ଓଭର ପର୍ଯ୍ୟନ୍ତ ପାକିସ୍ତାନ ହାତରେ ମ୍ୟାଚ୍ ରହିଥିଲା । ମେନ ଇନ୍ ଗ୍ରୀନ ୧୦୧/୩ ରହିଥିଲେ ମାତ୍ର ଶ୍ରୀଲଙ୍କା ଖେଳାଳି ପୁନର୍ବାର ମ୍ୟାଚ୍ର ମୋଡ ନିଜ ସପକ୍ଷରେ ନେବା ସହ ବାବରଙ୍କ ଟିମକୁ ୧୧୨/୭ରେ ପହଞ୍ଚାଇଥିଲେ । ଶେଷରେ ୧୪୭ ରନ୍ରେ ପାକିସ୍ତାନକୁ ସୀମିତ ରଖିବା ସହ ଟ୍ରଫି ନିଜ ନାମରେ କରିଥିଲା ସିଂହଳ ଟିମ ।