ସିଡନୀ(ଅଷ୍ଟ୍ରେଲିଆ):ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥବା ଚତୁର୍ଥ ଆସେସ ଟେଷ୍ଟ ନାଟକୀୟ ଢଙ୍ଗରେ ଡ୍ର'ରେ ଶେଷ ହୋଇଛି । ଇଂଲଣ୍ଡର ଶେଷ ଦୁଇ ଖେଳାଳି ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନ ମ୍ୟାଚ୍ର ପଞ୍ଚମ ଦିନରେ ଶେଷ ଦୁଇ ଓଭର ବ୍ୟାଟିଂ କରିବା ସହ ପରାଜୟ ଏଡାଇବାକୁ ସଫଳ ହୋଇଛନ୍ତି । ଫଳରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୩-୦ରେ ଆଗୁଆ ରହିଛି । ପଞ୍ଚମ ଟେଷ୍ଟ ଶୁକ୍ରବାର ଠାରୁ ହୋବାର୍ଟରେ ଖେଳାଯିବ ଓ ଏହା ଦିବାରାତ୍ରୀ ମ୍ୟାଚ୍ ହେବ ।
ଏହାମଧ୍ୟ ପଢନ୍ତୁ:3rd test: କେପଟାଉନ୍ରେ ପହଞ୍ଚିଲା ଟିମ ଇଣ୍ଡିଆ, ଟିମ ହୋଟେଲରେ ଭବ୍ୟ ସ୍ବାଗତ
୧୭୪/୪ରୁ ତୃତୀୟ ତଥା ଶେଷ ସେସନ ଖେଳ ଆରମ୍ଭ କରିଥିଲା ଇଂଲଣ୍ଡ । ବେନ ଷ୍ଟୋକ୍ସ ଓ ଜନ୍ନି ବେୟାରଷ୍ଟୋ ଅଧିକ ୧୯ ରନ୍ ଯୋଡିବା ପରେ ୬୦ ରନ୍ର ବ୍ୟାଟିଂ କରୁଥିବା ଷ୍ଟୋକ୍ସଙ୍କୁ ନାଥନ ଲାୟନ ପାଭିଲିଅନ ପଠାଇଦେଇଥିଲେ । ଫଳରେ ଇଂଲଣ୍ଡ ପାଖରେ ମ୍ୟାଚ୍ ଡ୍ର ରଖିବାକୁ ଆହ୍ବାନପୂର୍ଣ୍ଣ ୨୭.୨ ଓଭର ରହିଥିଲା ।
ପରେ ଦିନର ୧୭ ଓଭର ଖେଳ ବାକିଥିବାବେଳେ, କଙ୍ଗାରୁ କ୍ୟାପଟେନ ପାଟ କମିନ୍ସ, ଜସ୍ ବଟଲରଙ୍କୁ LBW ଆଉଟ୍ କରିଥିଲେ । ଏହାପରେ ଇଂଲଣ୍ଡ ସଂକଟରେ ପଡିବା ସହ ପରାଜୟ ଏଡାଇବା ମୁସ୍କିଲ ହୋଇଯାଇଥିଲା । ସମାନ ଓଭରରେ ମାର୍କ ଉଡ୍ଙ୍କୁ କୌଣସି ରନ୍ କରିବା ପୂର୍ବରୁ କମିନ୍ସ ପାଭିଲିଅନ ପଠାଇବା ପରେ ଇଂଲଣ୍ଡର ସ୍କୋର ୨୧୮/୭ ହୋଇଯାଇଥିଲା ।