ନୂଆଦିଲ୍ଲୀ: କ୍ରିକେଟ ପଡିଆରେ ନିଆରା ଶୈଳୀର ନେତୃତ୍ବ ଓ ପ୍ରତିଟି ମ୍ୟାଚରେ ପ୍ରତିପକ୍ଷ ଟିମ ସାମ୍ନାରେ ସହଜରେ ହାର୍ ମାନୁନଥିବା ନାମ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ସଭାପତି ସୌରଭ ଗାଙ୍ଗୁଲି ।
କେବେ ପଛସିଟ୍ ପସନ୍ଦ କରୁନଥିଲେ ଗାଙ୍ଗୁଲି । ରାହୁଲ ଦ୍ରାବିଡ ତାଙ୍କୁ ଏକଦା କହିଥିଲେ 'ଗଡ୍ ଅଫ ଅଫ-ସାଇଡ' । ତାଙ୍କଠାରେ ଆହ୍ବାନକୁ ଗ୍ରହଣ କରିବାର ଥିଲା ଅବିଶ୍ବସନୀୟ କଳା, କଠିନ ପରିସ୍ଥିତିରେ ଚାପକୁ ଖାତିର ନକରି ଏବଂ ଅନିୟନ୍ତ୍ରିତ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସର୍ବଦା ବିଶ୍ବାସ ରଖୁଥିଲେ । ପ୍ରାୟ ଗୋଟିଏ ଦଶନ୍ଧି ଧରି ଗାଙ୍ଗୁଲି ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଓ ନେତତ୍ବ ଦ୍ବାରା ଦେଶ ତଥା ବିଶ୍ବକର ଅଗଣିତ କ୍ରିକେଟ ପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ ଓ ପ୍ରତିପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲେ ।
'ଦାଦା' ନାମରେ ସର୍ବତ୍ର ପରିଚିତ ଥିଲେ, ବର୍ଷ1996ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଶକ୍ତିଶାଳୀ ଇଂଲିସ ବୋଲିଂ ଆକ୍ରମଣକୁ ନିସ୍ପ୍ରଭ କରି ଡେବ୍ୟୁ ଟେଷ୍ଟରେ ଦମଦାର ଶତକ ହାସଲ କରିବା ପରେ, ଗଣମାଧ୍ୟମର ପ୍ରମୁଖ ଶୀରୋନାମାରେ ସ୍ଥାନ ପାଇବା ସହ ଚର୍ଚ୍ଚାର ପରିସରକୁ ଆସିଯାଇଥିଲେ । ଦ୍ବିତୀୟ ଟେଷ୍ଟରେ ମଧ୍ୟ ଶତକୀୟ ଇଂନିସ ଖେଳିଥିଲେ । ଏହାପରେ ସେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଦୁଇଟି ଇଂନିସରେ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ବନିଯାଇଥିଲେ ।
ପରେ ବର୍ଷ 1997ରେ ପାକିସ୍ତାନ ବିପକ୍ଷରେ ଦିନିକିଆ ଫର୍ମାଟରେ ଲଗାତାର 4ଟି ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ ହାତେଇବା ପରେ 'ପ୍ରିନ୍ସ ଅଫ କୋଲକାତା' ଉପାଧି ପାଇଥିଲେ । 1999 ବିଶ୍ବକପରେ ଗାଙ୍ଗୁଲି ଶ୍ରୀଲଙ୍କା ବିପକ୍ଷରେ 183 ରନ୍ର ବିଶାଳ ଇଂନିସ ଖେଳିବା ସହ ରାହୁଲ ଦ୍ରାବିଡଙ୍କ ସହ ରେକର୍ଡ 318 ରନ୍ର ଭାଗିଦାରୀ କରିଥିଲେ ।
ବର୍ଷ 2000ରେ, ମ୍ୟାଚ ଫିକ୍ସିଂ ମାମଲା ଭାରତୀୟ କ୍ୟାମ୍ପକୁ କଳୁଷିତ କରେ ଓ ଗାଙ୍ଗୁଲିଙ୍କୁ ନେତୃତ୍ବ ଭାର ମିଳେ । ଅସ୍ବାଭାବିକ ସ୍ଥିତିରେ ଥିବା ଟିମକୁ ସମ୍ଭାଳିବା ଗାଙ୍ଗୁଲିଙ୍କ ପାଇଁ ଆହ୍ବାନ ଠାରୁ କମ ନଥିଲା । ତେବେ ଦାଦା କ୍ୟାପଟେନ ବନିବାପରେ, ନୂଆ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଆରମ୍ଭ କରିଦେଲେ । ଏହାର ଫଳ ସ୍ବରୂପ ଟିମ ଇଣ୍ଡିଆକୁ ମିଳନ୍ତି ଯୁବରାଜ ସିଂହ, ହରଭଜନ ସିଂହ, ମହମ୍ମଦ କୈଫ, ମହେନ୍ଦ୍ର ସିଂହ ଧୋନି, ଆଶିଷ ନେହେରା ଓ ଜାହିର ଖାନଙ୍କ ଭଳି ମ୍ୟାଚ ବିଜୟୀ ଚମ୍ପିଆନ ଖେଳାଳି ।
ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଟିମ ପ୍ରଥମେ 2000 ICC ନକଆଉଟ ଟ୍ରଫି ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରେ । 2001ରେ ଭାରତୀୟ କ୍ରିକେଟ ଟିମ ଆଉ ଏକ ଇତିହାସ ରଚିବାରେ ସଫଳ ହୁଏ । ଗାଙ୍ଗୁଲିଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆକୁ ବର୍ଡର-ଗାଭାସ୍କର ଟ୍ରଫିରେ 2-1ରେ ହରାଏ ଭାରତ ।
ଏହି ସିରିଜ ସମୟରେ, କୋଲକାତାର ଐତିହାସିକ ଇଡେନ ଗାର୍ଡେନ ଷ୍ଟାଡିୟମରେ ଭାରତ ଶ୍ରେଷ୍ଠ ପ୍ରସିଦ୍ଧ ଟେଷ୍ଟ ବିଜୟ ଲାଭ କରେ । ଷ୍ଟିଭ ୱଙ୍କ ଅଷ୍ଟ୍ରେଲିଆ ଟିମ ଭାରତକୁ ଫଲୋଅନ ଦିଏ ମାତ୍ର ଭିଭିଏସ ଲକ୍ଷ୍ମଣ ଓ ରାହୁଲ ଦ୍ରାବିଡ ବାଜି ପଲଟାଇ ଦିଅନ୍ତି । ଭାରତୀୟ ଟିମ ପାଇଁ ଅନ୍ୟତମ ଶ୍ରେଷ୍ଠ କମବ୍ୟାକ ଇଂନିସ ଖେଳନ୍ତି ଦୁଇ ଭେଟେରାନ କ୍ରିକେଟର ।