ନୂଆଦିଲ୍ଲୀ: ବିଭିନ୍ନ କ୍ରୀଡ଼ାରେ ଖେଳାଳୀଙ୍କୁ ଡୋପ୍ ଟେଷ୍ଟ୍ ଦେବାକୁ ପଡ଼ିଥାଏ । ତେବେ ଏକ ଆର୍ଟିଆଇ ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଗତ ୨ ବର୍ଷରେ ସର୍ବାଧିକ ୬ ଥର ଡୋପ୍ ଟେଷ୍ଟର ସାମ୍ନା କରିବାକୁ ପଡିଛି । ଗତ ୨ ବର୍ଷରେ ସବୁଠାରୁ ଅଧିକ ଥର ଡୋପ୍ ଟେଷ୍ଟ ଦେଇଥିବା କ୍ରିକେଟର ହେଉଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ଏହି ପରୀକ୍ଷା ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ ଏବଂ ୟୁଏଇରେ କରାଯାଇଛି । ଅନ୍ୟପଟେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି କ୍ରିକେଟର ଏହି ସମୟ ମଧ୍ୟରେ ଥରେ ମଧ୍ୟ ଡୋପ୍ ଟେଷ୍ଟର ସାମ୍ନା କରିନଥିବା ଜଣାପଡ଼ିଛି ।
ଏହି ରିପୋର୍ଟ ଅନୁସାରେ ଗତ ୨ ବର୍ଷରେ ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ ଓ ଚେତେଶ୍ବର ପୂଜାରାଙ୍କ ସମେତ ୭ ଜଣ ଖେଳାଳୀଙ୍କର ଥରେ ଲେଖାଁଏ ଡୋପ ଟେଷ୍ଟ କରାଯାଇଛି । ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନ୍ୟ କେତେଜଣ ଖେଳାଳୀଙ୍କ କୌଣସି ଟେଷ୍ଟ କରାଯାଇ ନାହିଁ । ବିସିସିଆଇ ଦ୍ବାରା ଚୁକ୍ତିବଦ୍ଧ ୨୫ ଖେଳାଳୀଙ୍କ ମଧ୍ୟରୁ ୧୨ ଜଣଙ୍କର କୌଣସି ଟେଷ୍ଟ ହୋଇ ନାହିଁ । ଏହି କ୍ରିକେଟରମାନଙ୍କ ମଧ୍ୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଶାର୍ଦ୍ଦୁଲ ଠାକୁର, ଅର୍ଶଦୀପ ସିଂ, ଶ୍ରେୟସ୍ ଆୟର, ଦୀପକ ହୁଡ୍ଡା, ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନ୍, ଶ୍ରୀକର ଭରତ ଏବଂ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଅଛନ୍ତି । ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି(WADA) ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି । ଏକ ଆରଟିଆଇ ଅବେଦନ ଯୋଗୁଁ ନାଡା ଏହି ତଥ୍ୟ ପ୍ରଦାନ କରିଛି ।