ହାଇଦ୍ରାବାଦ: କ୍ରିକେଟ ଜଗତରୁ ସନ୍ୟାସ ନେଇଛନ୍ତି ଇଂଲଣ୍ଡର ଦ୍ରୁତ ବୋଲର ଆନ୍ୟା ଶ୍ରବସୋଲ । ୩୦ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଆନ୍ୟା ୧୭୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବାବେଳେ ୨୨୭ ୱିକେଟ ନିଜ ନାମରେ କରିଛନ୍ତି । ବର୍ଷ ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଆନ୍ୟା । ସେ ପ୍ରଥମେ ଦିନିକିଆ ମ୍ୟାଚ୍ ଖେଳିଥିଲେ ।
ସଦ୍ୟ ସମାପ୍ତ ମହିଳା ବିଶ୍ବକପ ୨୦୨୨ରେ ଇଂଲଣ୍ଡ ପକ୍ଷରୁ ଫାଇନାଲ ମ୍ୟାଚ୍ ଖେଳିଥିଲେ । ନିଜ କ୍ରିକେଟ କ୍ୟାରିୟରରେ ଆନ୍ୟା ୮ଟି ଟେଷ୍ଟ ମ୍ୟାଚ୍, ୮୬ଟି ଏକଦିବସୀୟ ଓ ୭୯ଟି ଟି୨୦ ମୁକାବିଲା ଖେଳିଛନ୍ତି । ଟେଷ୍ଟ ମ୍ୟାଚ୍ରେ ୧୯ ୱିକେଟ ଓ ବ୍ୟାଟ୍ରେ ୧୮୮ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଦିନିକିଆରେ ୧୦୬ ୱିକେଟ ନେଇଛନ୍ତି ଓ ୨୮୫ ରନ୍ ସଂଗ୍ରହ କରିଛନ୍ତି । ଟି୨୦ ମ୍ୟାଚ୍ରେ ୧୦୨ ୱିକେଟ ଓ ବ୍ୟାଟ୍ରେ ୧୦୪ ରନ୍ ନିଜ ନାମରେ କରିଛନ୍ତି ।
ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ICC ମହିଳା କ୍ରିକେଟ ବିଶ୍ବକପ ୨୦୧୭ ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍ରେ ଘାତକ ବୋଲିଂ ସହ ଇଂଲଣ୍ଡକୁ ଚତୁର୍ଥ ବିଶ୍ବକପ ଟାଇଟେଲ ବିଜେତା କରାଇବାରେ ସହାୟକ ହୋଇଥିଲେ । ୨୨୯ ରନ୍ର ବିଜୟ ଲକ୍ଷକୁ ପିଛା କରିଥିବା ଭାରତୀୟ ଟିମ ୧୯୧/୩ ସହ ଦୃଢ ସ୍ଥିତିରେ ରହିଥିଲା । ମାତ୍ର ଶ୍ରବସୋଲ ବୋଲିଂ ପାଇଁ ଆସି ନାଟକୀୟ ଢଙ୍ଗରେ ମ୍ୟାଚ୍ର ମୋଡ ବଦଳାଇ ଦେଇଥିଲେ । ପରବର୍ତ୍ତୀ ୬ ଓଭର ମଧ୍ୟରେ ମାତ୍ର ୨୮ ରନ୍ ମଧ୍ୟରେ ଶେଷ ୭ ୱିକେଟ ହରାଇଥିଲା ଭାରତ । ୯ ରନ୍ରେ ଇଂଲଣ୍ଡ ବିଜୟୀ ହେବାସହ ବିଶ୍ବ ଚାମ୍ପିୟନ ହୋଇଥିଲା । ଶ୍ରବସୋଲ ୪୬ ରନ୍ ବ୍ୟୟରେ ୬ଟି ୱିକେଟ ଅକ୍ତିଆର କରି ମହିଳା ବିଶ୍ବକପ ଫାଇନାଲ ମୁକାବିଲାରେ ରେକର୍ଡ ପ୍ରଦର୍ଶନ କରିଥିଲେ ।
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାସହ ଆନ୍ୟା କହିଛନ୍ତି, "ଗତ ୧୪ ବର୍ଷ ଧରି ଦେଶର ପ୍ରତିନିଧିତ୍ବ କରିବାକୁ ସକ୍ଷମ ହେବାପାଇଁ ବହୁତ ସମ୍ମାନୀତ ଅନୁଭବ କରୁଛି । ମହିଳା କ୍ରିକେଟରେ ସାମିଲ ହେବା ସମ୍ମାନର କଥା ।"
IANS