ହାଇଦ୍ରାବାଦ: ବିଶ୍ବକପରେ ବିଜୟ ଧାରା ଜାରି ରଖିଥିବା ମେନ ଇନ୍ ବ୍ଲୁର ମନୋବଳ ଦୃଢ ରହିଛି । ପାକିସ୍ତାନ ଓ ନେଦରଲାଣ୍ଡସକୁ ହରାଇ ସାରିବା ପରେ ଟିମ ଇଣ୍ଡିଆର ଆତ୍ମବିଶ୍ବାସ ବୃଦ୍ଧି ପାଇଛି । ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭାରତ ଯେମିତି ହରାଇଲା ତାହା ଅବିଶ୍ବସନୀୟ ପ୍ରଦର୍ଶନ ରହିଥିଲା । ପ୍ରଥମେ ମ୍ୟାଚ ପାକିସ୍ତାନରେ ବିରାଟ କୋହଲିଙ୍କର ଲଢୁଆ ଇନିଂସ ଦଳକୁ ବିଜୟ ଦ୍ବାରରେ ପହଁଞ୍ଚାଇଥିଲା । ଅନ୍ତିମ ତିନି ଓଭରରେ ୪୮ ରନ ସଂଗ୍ରହ କରିବା ଅସମ୍ଭବ ଲାଗୁଥିଲା ବି କୋହଲିଙ୍କ ଅବିଶ୍ବସନୀୟ ପାଳି ଖେଳି ଭାରକତୁ ବିଜୟୀ କରାଇଥିଲେ । କୋହଲିଙ୍କୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭରପୁର ସାଥ୍ ମିଳିଥିଲା । ଉଭୟଙ୍କ ମଧ୍ୟରେ ମ୍ୟାଚ୍ ବିଜୟୀ ଶତକୀୟ ଭାଗିଦାରୀ ହୋଇଥିଲା । ଫଳରେ ଶେଷ ବଲ୍ରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା ।
ବିଶ୍ବକପରେ ଏଯାବତ ଭାରତର ପ୍ରଦର୍ଶନ ନେଇ ବିଚାର କଲେ ଓପନର କେଏଲ ରାହୁଲଙ୍କର ପ୍ରଦର୍ଶନ ନେଇ ଦଳର ସାମାନ୍ୟ ମୁଣ୍ଡ ବିନ୍ଧାର କାରଣ ହୋଇଛି । ରାହୁଲଙ୍କ ପରିବର୍ତ୍ତେ ଋଷଭ ପନ୍ତଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦିଆଯାଉ ଓ ଓପନିଂ କରାଯାଉ ବୋଲି ଅନେକ ଫ୍ୟାନ୍ସ ମତ ଦେଉଛନ୍ତି । ବାମହାତୀ ବ୍ୟାଟର ପନ୍ତ ଦ୍ରୁତ ରନ୍ ସଂଗ୍ରହ କରି ମ୍ୟାଚରେ ମୋଡ ବଦଳାଇବାରେ ଦକ୍ଷତା ରଖିଛନ୍ତି । ତେବେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ସ୍ପଷ୍ଟ କରିଛନ୍ତି ଯେ,ଦକ୍ଷିଣ ଆଫ୍ରିକା ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରାହୁଲ ହିଁ ଓପନିଂ କରିବେ ।